ଶ୍ରୀଲଙ୍କାରୁ ଆସିଲା ଭାରତୀୟ ଦଳର ଡାକ; ବିମାନବନ୍ଦରରେ ବଦଳିଗଲା ଆକିବ ନବୀଙ୍କ ଭାଗ୍ୟ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଦ୍ରୁତ ବୋଲର ଆକିବ ନବୀଙ୍କ ପାଇଁ ଭାରତୀୟ ଟେଷ୍ଟ ଦଳରେ ସୁଯୋଗ ଆସିଥିଲା ଏକଦମ ଅପ୍ରତ୍ୟାଶିତ ଭାବେ। ସେ ଦିଲ୍ଲୀର ସେଣ୍ଟର ଅଫ୍ ଏକ୍ସଲେନ୍ସ ଯିବାକୁ ବିମାନବନ୍ଦରରେ ଥିବାବେଳେ ଜଣେ ଚୟନକର୍ତ୍ତାଙ୍କ ଫୋନ୍ ଆସିଥିଲା। କେଉଁଠି ଅଛ ବୋଲି ପଚାରିବା ପରେ ନବୀ କହିଥିଲେ ଯେ ସେ କୋଚିଂ ପାଇଁ ଯାଉଛନ୍ତି। ଏହାପରେ ଚୟନକର୍ତ୍ତା କହିଥିଲେ, ସେଠାକୁ ଯିବା ଦରକାର ନାହିଁ, ସିଧା ଶ୍ରୀଲଙ୍କା ଆସ। ଏହି ଫୋନ୍ କଲ୍ ତାଙ୍କ ପାଇଁ ବର୍ଷ ବର୍ଷର ଅପେକ୍ଷାର ଅନ୍ତ ଘଟାଇଥିଲା।
ଘରୋଇ କ୍ରିକେଟ୍ରେ ନବୀଙ୍କ ପ୍ରଦର୍ଶନ ତାଙ୍କୁ ଭାରତୀୟ ଦଳର ଦାବିଦାର କରିଥିଲା। ୨୦୨୪-୨୫ ରଣଜୀ ସିଜନରେ ସେ ୪୪ଟି ୱିକେଟ୍ ନେଇଥିବାବେଳେ ପରବର୍ତ୍ତୀ ସିଜନରେ ମାତ୍ର ୧୦ଟି ମ୍ୟାଚ୍ରେ ୬୦ଟି ୱିକେଟ୍ ନେଇ ଜମ୍ମୁ-କାଶ୍ମୀରକୁ ପ୍ରଥମ ରଣଜୀ ଟ୍ରଫି ଜିତାଇବାରେ ବଡ଼ ଭୂମିକା ନେଇଥିଲେ। ଏଥିପାଇଁ ସେ ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ମଧ୍ୟ ହୋଇଥିଲେ। ତେବେ ତାଙ୍କର ପ୍ରଥମ ଆଇପିଏଲ୍ ସିଜନ୍ ସେତେଟା ସଫଳ ହୋଇନଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୫ଟି ମ୍ୟାଚ୍ ଖେଳିଥିଲେ ମଧ୍ୟ ଗୋଟିଏ ୱିକେଟ୍ ନେଇପାରିନଥିଲେ। ଏହାସତ୍ତ୍ୱେ ଘରୋଇ କ୍ରିକେଟ୍ରେ ତାଙ୍କ ନିରନ୍ତର ପ୍ରଦର୍ଶନ ତାଙ୍କୁ ଇଣ୍ଡିଆ-ଏ ଦଳରେ ସ୍ଥାନ ଦେଇଥିଲା।
ଶ୍ରୀଲଙ୍କା ଗସ୍ତରେ ଇଣ୍ଡିଆ-ଏ ପକ୍ଷରୁ ଅନୌପଚାରିକ ଟେଷ୍ଟରେ ୪ଟି ୱିକେଟ୍ ନେଇ ନବୀ ନିଜ ଦାବିକୁ ଆହୁରି ମଜବୁତ କରିଥିଲେ। ତଥାପି ଶ୍ରୀଲଙ୍କା ବିପକ୍ଷ ମୂଳ ଟେଷ୍ଟ ଦଳରେ ତାଙ୍କ ନାଁ ନଥିଲା। ଭାରତୀୟ ପେସର୍ ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତି ପରେ ନବୀଙ୍କ ପାଇଁ ଦଳର ଦ୍ୱାର ଖୋଲିଥିଲା। ବର୍ଷ ବର୍ଷର ପରିଶ୍ରମ, ଅପେକ୍ଷା ଓ ଘରୋଇ କ୍ରିକେଟ୍ରେ ଦମଦାର ପ୍ରଦର୍ଶନ ପରେ ଏବେ ଭାରତୀୟ ଟେଷ୍ଟ ଦଳର ଜର୍ସି ପିନ୍ଧିବାର ସ୍ୱପ୍ନ ତାଙ୍କ ସାମ୍ନାରେ। ବିମାନବନ୍ଦରରୁ ଶ୍ରୀଲଙ୍କା ଅଭିମୁଖେ ନବୀଙ୍କ ଏହି ଯାତ୍ରା ତାଙ୍କ କ୍ରିକେଟ୍ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି।

