High Court Bail: ଆଇନଜୀବୀ ପୀତବାସଙ୍କ ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କୁ ଜାମିନ, ୧୪ ଅଭିଯୁକ୍ତଙ୍କ ନାଁରୁ ହଟିଲା ହତ୍ୟା ଦଫା
ବ୍ରହ୍ମପୁର: ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆସିଛି ନୂଆ ମୋଡ଼। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ ବିକ୍ରମ ପଣ୍ଡାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଅଭିଯୋଗ କରାଯାଇଥିଲା। ତେବେ ମାମଲାର ଚୂଡ଼ାନ୍ତ ଚାର୍ଜସିଟ୍ରେ ବିକ୍ରମ ପଣ୍ଡାଙ୍କ ସମେତ ୧୪ ଜଣ ଅଭିଯୁକ୍ତଙ୍କ ବିରୋଧରୁ ହତ୍ୟା ଦଫା ବାଦ ଦିଆଯାଇଛି।
ଚୂଡ଼ାନ୍ତ ଚାର୍ଜସିଟ୍ ଅନୁସାରେ, ବିକ୍ରମ ପଣ୍ଡାଙ୍କ ସହ ପୂର୍ବତନ ମେୟର ପିଣ୍ଟୁ ଦାସ, ମଦନ ଦଳେଇ ଓ ମଳୟ ବିଷୋୟୀଙ୍କ ବିରୋଧରୁ ମଧ୍ୟ ହତ୍ୟା ସମ୍ପର୍କିତ ଦଫା ହଟାଯାଇଛି। ବର୍ତ୍ତମାନ ସେମାନଙ୍କ ବିରୋଧରେ ସଂଗଠିତ ଅପରାଧ ସମ୍ପର୍କିତ ବିଏନଏସ୍ର ଧାରା ୧୧୧ ଲାଗୁ ରହିଛି। ଅନ୍ୟପଟେ ହତ୍ୟା ସମ୍ପର୍କିତ ବିଏନଏସ୍ର ଧାରା ୧୦୩କୁ ଚୂଡ଼ାନ୍ତ ଚାର୍ଜସିଟ୍ରୁ ବାଦ ଦିଆଯାଇଛି। ତେବେ ଗୁଳି ଚଳାଇଥିବା ଅଭିଯୋଗ ଥିବା କୁରୁପତି ଭୂୟାଁ ଏବଂ ତାଙ୍କୁ ଘଟଣାସ୍ଥଳରୁ ଗାଡ଼ିରେ ନେଇଯାଇଥିବା ଚିଣ୍ଟୁ ପ୍ରଧାନଙ୍କ ବିରୋଧରେ ହତ୍ୟା ଦଫା ପୂର୍ବଭଳି ବଳବତ୍ତର ରହିଛି।
ସୂଚନା ଅନୁସାରେ, ଗତବର୍ଷ ଅକ୍ଟୋବର ୨୨ ତାରିଖରେ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା। ଦୀର୍ଘ ସମୟ ପରେ ଏବେ ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିବା ସହ ଚୂଡ଼ାନ୍ତ ଚାର୍ଜସିଟ୍ରେ ଅନେକ ଅଭିଯୁକ୍ତଙ୍କ ବିରୋଧରୁ ହତ୍ୟା ଦଫା ହଟିବା ଘଟଣା ମାମଲାକୁ ନୂଆ ମୋଡ଼ ଦେଇଛି। ଏବେ ଏହି ମାମଲାର ଆଗାମୀ ଗତି କେଉଁ ଦିଗକୁ ଯିବ, ତାହା ଉପରେ ନଜର ରହିଛି।

