Family Dispute: ନିଶାସକ୍ତ ବାପାଙ୍କ କଟୁରି ଚୋଟରେ ପୁଅ ଗୁରୁତର, କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବନ୍ଦର ସାମୁଦ୍ରିକ ଥାନା ଅନ୍ତର୍ଗତ ନହରଣା ଗ୍ରାମରେ ପାରିବାରିକ ବଚସାକୁ କେନ୍ଦ୍ର କରି ନିଶାସକ୍ତ ବାପାଙ୍କ କଟୁରି ଚୋଟରେ ପୁଅ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ ୨୨ ବର୍ଷୀୟ ତପନ ରାଉତ। ତାଙ୍କ ବାପା ପ୍ରତାପ ରାଉତଙ୍କ ବୟସ ୪୬ ବର୍ଷ ବୋଲି ଜଣାପଡ଼ିଛି। ରାତି ପ୍ରାୟ ୧ଟା ସମୟରେ କୌଣସି ଏକ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ତପନ ତାଙ୍କ ବାପାଙ୍କୁ ଚାପୁଡ଼ା ମାରିଥିବା କୁହାଯାଉଛି। ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରତାପ ଏକ ଧାରୁଆ କଟୁରିରେ ତପନଙ୍କ ବାମ ହାତକୁ ହାଣି ଦେଇଥିଲେ।
ଘଟଣା ପରେ ପରିବାର ଲୋକେ ରାତି ପ୍ରାୟ ୨ଟା ସମୟରେ ଆମ୍ବୁଲାନ୍ସ ଯୋଗେ ତପନଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ସୂତ୍ର ଅନୁଯାୟୀ, ଘଟଣା ସମୟରେ ବାପା ଓ ପୁଅ ଉଭୟେ ନିଶାସକ୍ତ ଥିବା କୁହାଯାଉଛି। ପରିବାରରେ ପୂର୍ବରୁ ମଧ୍ୟ ବାରମ୍ବାର ପାଟିତୁଣ୍ଡ ଓ ବଚସା ହେଉଥିବା ବେଳେ ଗତରାତିରେ ଏହା ଉଗ୍ର ରୂପ ନେଇଥିବା ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ, ଘଟଣାକୁ ନେଇ ଏପର୍ଯ୍ୟନ୍ତ ବନ୍ଦର ସାମୁଦ୍ରିକ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ ସହ ପରିବାର ମଧ୍ୟରେ ବୁଝାମଣା କରିବା ପାଇଁ ପୁଲିସ ପକ୍ଷରୁ ଗ୍ରାମରକ୍ଷୀଙ୍କୁ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି। ତେବେ ଗୁରୁତର ଆହତ ତପନଙ୍କ ଚିକିତ୍ସା କଟକ ବଡ଼ ମେଡିକାଲରେ ଜାରି ରହିଛି।

