Bangladesh PM: ଜନ୍ମାଷ୍ଟମୀ କାର୍ଯ୍ୟକ୍ରମରେ ଶେଖ ହସିନାଙ୍କୁ ‘କଂସ’ ସହ ତୁଳନା କଲେ ପ୍ରଧାନମନ୍ତ୍ରୀ ତାରିକ ରହମାନ
ବାଂଲାଦେଶ: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପରୋକ୍ଷ ଭାବେ ମଥୁରାର ଅତ୍ୟାଚାରୀ ଶାସକ କଂସଙ୍କ ସହ ତୁଳନା କରିଛନ୍ତି। ଗୁରୁବାର ଢାକାର ଓସମାନୀ ସ୍ମୃତି ଅଡିଟୋରିୟମ୍ରେ ଆୟୋଜିତ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମରେ ଯୋଗଦେଇ ସେ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମକାହାଣୀର ଉଦାହରଣ ଦେଇ ରହମାନ କହିଥିଲେ, ମଥୁରାର ଅତ୍ୟାଚାରୀ ଶାସକ କଂସଙ୍କୁ ଶେଷରେ ଶ୍ରୀକୃଷ୍ଣ ପରାସ୍ତ କରି ଅଧର୍ମ ଉପରେ ଧର୍ମର ବିଜୟ ସ୍ଥାପନ କରିଥିଲେ।
ଏହାକୁ ବାଂଲାଦେଶର ରାଜନୈତିକ ପରିସ୍ଥିତି ସହ ଯୋଡ଼ି ତାରିକ ରହମାନ କହିଥିଲେ ଯେ, ଦୀର୍ଘ ସମୟ ଧରି ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନିଆଯାଇଥିଲା। ତାଙ୍କ କହିବା ଅନୁସାରେ, ବିଭିନ୍ନ ରାଜନୈତିକ ଓ ସାମାଜିକ ବର୍ଗର ଲୋକ ଏକାଠି ହୋଇ ତ୍ୟାଗ କରିଥିଲେ ଏବଂ ‘କଂସ ସଦୃଶ’ ଶାସକଙ୍କୁ କ୍ଷମତାରୁ ହଟାଇଥିଲେ। ସେ କହିଛନ୍ତି ଯେ ବାଂଲାଦେଶ ପୁଣି ଗଣତନ୍ତ୍ରର ପଥରେ ଆଗକୁ ବଢ଼ୁଛି ଏବଂ ଅର୍ଥନୀତି, ପ୍ରଶାସନ ଓ ଆଇନଶୃଙ୍ଖଳାରେ ସୁଧାର ସହ ଦେଶକୁ ପୁନର୍ଗଠନ କରିବାର ସମୟ ଆସିଛି।
ସେହିପରି ଦେଶରେ ହିନ୍ଦୁ ଓ ଅନ୍ୟ ସମସ୍ତ ସମ୍ପ୍ରଦାୟର ଲୋକେ ନିଜକୁ ଅଧିକାଂଶ କିମ୍ବା ସଂଖ୍ୟାଲଘୁ ଭାବେ ନଦେଖି ‘ବାଂଲାଦେଶୀ’ ଭାବେ ପରିଚୟ ଦେବାକୁ ରହମାନ ଆହ୍ୱାନ କରିଥିଲେ। ସମସ୍ତ ନାଗରିକଙ୍କ ସମାନ ଅଧିକାର ଓ ସୁରକ୍ଷା ସୁନିଶ୍ଚିତ କରିବା ସରକାରର ଦାୟିତ୍ୱ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ୯ ଜଣ ପୁରୋହିତ ଓ ସେବାୟତଙ୍କୁ ସମ୍ମାନଧନ ପ୍ରଦାନ କରାଯାଇଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଥିବା ପୁରୋହିତ ଓ ସେବାୟତଙ୍କ ବ୍ୟାଙ୍କ ଖାତାକୁ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଟଙ୍କା ପଠାଯାଇଥିଲା। ଆଗାମୀ ଜନ୍ମାଷ୍ଟମୀ ଓ ଦୁର୍ଗାପୂଜାକୁ ଭୟମୁକ୍ତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ସେ ହିନ୍ଦୁ ସମ୍ପ୍ରଦାୟକୁ ଆହ୍ୱାନ ଦେଇଥିଲେ।

