Pakistan Pregnancy Mystery: ଅଲଟ୍ରାସାଉଣ୍ଡରେ ଦେଖାଯାଇଥିଲା ଶିଶୁ, ପ୍ରସବ ସମୟରେ ଗାଏବ! ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ
ପାକିସ୍ତାନ: ପାକିସ୍ତାନର କରାଚିରୁ ଏକ ଆଶ୍ଚର୍ଯ୍ୟଜନକ ଗର୍ଭଧାରଣ ଘଟଣା ସାମ୍ନାକୁ ଆସିଛି। ଅଲଟ୍ରାସାଉଣ୍ଡ ରିପୋର୍ଟରେ ମହିଳା ଜଣକ ୩୮ ସପ୍ତାହର ଗର୍ଭବତୀ ଥିବା ଦର୍ଶାଯାଇଥିଲା। ଅଗଷ୍ଟ ୨୭ରେ ପ୍ରସବ ବେଦନା ହେଉଥିବା କହି ସେ କରାଚିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରିବାର ପକ୍ଷରୁ ମେଡିକାଲ୍ ରିପୋର୍ଟ ଦେଖାଇବା ପରେ ଡାକ୍ତରମାନେ ତାଙ୍କୁ ପ୍ରସବ ପାଇଁ ଅପରେସନ୍ କରିଥିଲେ। ହେଲେ ଅପରେସନ୍ ପରେ ଗର୍ଭରେ କୌଣସି ଶିଶୁ ନଥିବା ଡାକ୍ତରମାନେ ପରିବାରକୁ ଜଣାଇଥିଲେ।
ଏହା ଶୁଣି ପରିବାର ଲୋକେ ହସ୍ପିଟାଲରେ ହଙ୍ଗାମା କରିବା ସହ ଶିଶୁ ଗାଏବ ହୋଇଥିବା ଅଭିଯୋଗ କରିଥିଲେ। ପରେ ପୁଲିସ ଘଟଣାର ତଦନ୍ତ କରିବାରୁ ଶିଶୁ ଗାଏବ ହୋଇନଥିବା ଜଣାପଡ଼ିଥିବା ରିପୋର୍ଟରେ କୁହାଯାଇଛି। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ମହିଳା ଜଣକ ନିଜ ପରିବାରକୁ ଗର୍ଭବତୀ ଥିବା ନେଇ ମିଛ କହିଥିବା ଅଭିଯୋଗ ହୋଇଛି। ବିବାହର ପ୍ରାୟ ୩ ବର୍ଷ ପରେ ପରିବାର ପକ୍ଷରୁ ସନ୍ତାନ ପାଇଁ ଚାପ ରହିଥିବାରୁ ସେ ଏଭଳି ଦାବି କରିଥିବା ଏବଂ ନକଲି ଅଲଟ୍ରାସାଉଣ୍ଡ ରିପୋର୍ଟ ପ୍ରସ୍ତୁତ କରାଇଥିବା ତଦନ୍ତରୁ ଜଣାପଡ଼ିଥିବା କୁହାଯାଇଛି।
ଘଟଣା ପରେ ହସ୍ପିଟାଲର ଚିକିତ୍ସା ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ପ୍ରସବ ପାଇଁ ଅପରେସନ୍ କରାଯିବା ପୂର୍ବରୁ ମହିଳାଙ୍କର ପୁଣିଥରେ ଅଲଟ୍ରାସାଉଣ୍ଡ କାହିଁକି କରାଯାଇନଥିଲା, ତାହାକୁ ନେଇ ଆଲୋଚନା ହେଉଛି। ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ମହିଳା ଦେଖାଇଥିବା ଅଲଟ୍ରାସାଉଣ୍ଡ ରିପୋର୍ଟ ସହ ମେଡିକାଲ୍ ଯାଞ୍ଚ ଓ ଅନ୍ୟାନ୍ୟ ପରୀକ୍ଷା ପରେ ଅପରେସନ୍ ନେଇ ନିଷ୍ପତ୍ତି ହୋଇଥିଲା। ଘଟଣା ସାମ୍ନାକୁ ଆସିବା ପରେ ନକଲି ମେଡିକାଲ୍ ରିପୋର୍ଟ, ମିଛ ଗର୍ଭଧାରଣ ଦାବି ଏବଂ ହସ୍ପିଟାଲର ଯାଞ୍ଚ ପ୍ରକ୍ରିୟାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।

