Odisha Sugar Mill: ୩୬୦ କୋଟି ଟଙ୍କାରେ ବଡ଼ମ୍ବା ଚିନିକଳର ନବକଳେବର, ଓଡ଼ିଶାରେ ବଢ଼ିବ ଚିନି ଉତ୍ପାଦନ
ଭୁବନେଶ୍ୱର: ରାଜ୍ୟରେ ଚିନି ଉତ୍ପାଦନ ବଢ଼ାଇବା ଦିଗରେ ବଡ଼ ପଦକ୍ଷେପ ନେଉଛନ୍ତି ଓଡ଼ିଶା ସରକାର। ଚିନି ଦର କିଲୋ ପିଛା ପ୍ରାୟ ୭୦ ଟଙ୍କାରେ ପହଞ୍ଚିଥିବା ବେଳେ ଚିନିକଳକୁ ନେଇ ବଡ଼ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ତାଙ୍କ ସୂଚନା ଅନୁସାରେ, ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ଧରି ବନ୍ଦ ଥିବା କଟକ ଜିଲ୍ଲାର ବଡ଼ମ୍ବା ସମବାୟ ଚିନିକଳ ପ୍ରଥମେ କାର୍ଯ୍ୟକ୍ଷମ ହେବ। ଚିନିକଳ ପାଇଁ ବଡ଼ମ୍ବା ପ୍ରସ୍ତୁତ ଥିବା ବେଳେ କେନ୍ଦ୍ର ସମବାୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହାର ଉଦ୍ଘାଟନ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ବଡ଼ମ୍ବା ଚିନିକଳର ପୁନରୁଦ୍ଧାର, ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ ଓଡ଼ିଶା ସରକାର ଏବଂ ଇଣ୍ଡିଆନ୍ ପୋଟାସ୍ ଲିମିଟେଡ୍ ମଧ୍ୟରେ ଚୁକ୍ତି ହୋଇଛି। ଏଥିପାଇଁ ପ୍ରାୟ ୩୬୦ କୋଟି ଟଙ୍କା ବିନିଯୋଗ କରାଯାଉଛି। ଆଧୁନିକ ପ୍ଲାଣ୍ଟରେ ପ୍ରତିଦିନ ୩,୫୦୦ ଟନ୍ ଆଖୁ ପ୍ରକ୍ରିୟାକରଣ କରାଯାଇପାରିବ। ଏହା ସହ ୧୬ ମେଗାୱାଟ୍ର ସହ-ଉତ୍ପାଦନ ବିଦ୍ୟୁତ ପ୍ରକଳ୍ପ, ଦୈନିକ ୧୦ ଟନ୍ କ୍ଷମତାର ବାୟୋ-CNG ପ୍ଲାଣ୍ଟ ଏବଂ କୋଲ୍ଡ ଷ୍ଟୋରେଜ୍ ବ୍ୟବସ୍ଥା ମଧ୍ୟ କରାଯିବ।
ବର୍ତ୍ତମାନ ରାଜ୍ୟରେ ଆସିକା ଚିନିକଳ କାର୍ଯ୍ୟକ୍ଷମ ରହିଛି। ଏପଟେ ବଲାଙ୍ଗୀର ଚିନିକଳ ପୁନଃ ଖୋଲିବା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଥିବା ବେଳେ ନୟାଗଡ଼ ଚିନିକଳକୁ ନେଇ ଚାଲିଥିବା ଆଇନଗତ ପ୍ରକ୍ରିୟା ଶୀଘ୍ର ସମାଧାନ କରି ଏହାକୁ ପୁଣି କାର୍ଯ୍ୟକ୍ଷମ କରିବାକୁ ବିଭାଗ ଯୋଜନା କରୁଛି। ବଡ଼ମ୍ବା ଚିନିକଳ କାର୍ଯ୍ୟକ୍ଷମ ହେଲେ ଅଞ୍ଚଳର ୧,୦୦୦ରୁ ଅଧିକ ଆଖୁ ଚାଷୀ ସିଧାସଳଖ ଉପକୃତ ହେବେ ଏବଂ ଗ୍ରାମୀଣ ଅର୍ଥନୀତିକୁ ମଧ୍ୟ ଏହା ମଜବୁତ କରିବ ବୋଲି ଆଶା କରାଯାଉଛି।

