Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Food Safety Raid: କଟକରେ Wow! Momo ୱେୟାରହାଉସ୍‌କୁ ବଡ଼ ଝଟକା, ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନରେ ହେଲା ସିଲ୍‌

କଟକ: ଖାଦ୍ୟର ମାନ ଓ ସୁରକ୍ଷାକୁ ନେଇ କଟକରେ ପୁଣି ବଡ଼ ଚଢ଼ାଉ। ଖାଦ୍ୟ ସୁରକ୍ଷା ନିୟମ ଯାଞ୍ଚ ବେଳେ କଟକର ଭାଣପୁର ସଦର ଅଞ୍ଚଳରେ ଥିବା Wow! Momoର ଏକ ୱେୟାରହାଉସ୍‌କୁ ସିଲ୍‌ କରିଛନ୍ତି ଅଧିକାରୀ। ଖାଦ୍ୟ ସୁରକ୍ଷା ନିୟମ ପାଳନରେ ଅନିୟମିତତା ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଛି। ଏନେଇ ୟୁନିଟ୍‌ର ମାଲିକଙ୍କୁ ନୋଟିସ୍‌ ମଧ୍ୟ ଜାରି କରାଯାଇଥିବା କଟକ ସିଟି ହେଲ୍ଥ ଅଫିସର ଡାକ୍ତର ନୃପେନ୍ଦ୍ର କୁମାର ଶତପଥୀ ସୂଚନା ଦେଇଛନ୍ତି।

ଏହି ଚଢ଼ାଉ କେବଳ କଟକରେ ନୁହେଁ, ଭୁବନେଶ୍ୱର ଓ କଟକର ବିଭିନ୍ନ ଖାଦ୍ୟ ପ୍ରତିଷ୍ଠାନରେ ମଧ୍ୟ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଯାଞ୍ଚ କରିଛନ୍ତି। ପ୍ରାୟ ୨୦ଟି ଖାଦ୍ୟ ପ୍ରତିଷ୍ଠାନରେ ଯାଞ୍ଚ ବେଳେ ପ୍ରାୟ ୧୦ଟି ସୋ-କଜ୍‌ ନୋଟିସ୍‌ ଜାରି ହୋଇଥିବା ବେଳେ ଖାଇବା ଯୋଗ୍ୟ ନଥିବା ପ୍ରାୟ ୬୦ କିଲୋଗ୍ରାମ ଖାଦ୍ୟ ନଷ୍ଟ କରାଯାଇଛି। କଟକରେ ବିଭିନ୍ନ ରେଷ୍ଟୁରାଣ୍ଟ ଓ ଖାଦ୍ୟ ୟୁନିଟ୍‌ରେ ମଧ୍ୟ ଯାଞ୍ଚ ଜାରି ରହିଛି।

ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଖାଦ୍ୟ ସୁରକ୍ଷା ଯାଞ୍ଚକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଅଧିକାରୀମାନେ କହିଛନ୍ତି। ଏହା ପୂର୍ବରୁ ଅଗଷ୍ଟ ୨୫ରୁ ୨୭ ମଧ୍ୟରେ ସାରା ଓଡ଼ିଶାରେ ଚାଲିଥିବା ବିଶେଷ ଅଭିଯାନରେ ୩,୬୦୫ କିଲୋଗ୍ରାମରୁ ଅଧିକ ବାସୀ ମିଠା ଓ ଅନ୍ୟାନ୍ୟ ଅସୁରକ୍ଷିତ ଖାଦ୍ୟ ନଷ୍ଟ କରାଯାଇଥିଲା ଏବଂ ୪୭୫ଟି ନମୁନା ପରୀକ୍ଷା ପାଇଁ ସଂଗ୍ରହ ହୋଇଥିଲା। ଏବେ ବ୍ରାଣ୍ଡେଡ୍‌ ଫୁଡ୍‌ ଆଉଟଲେଟ୍‌ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ ଓ ଖାଦ୍ୟ ଗୋଦାମ ପର୍ଯ୍ୟନ୍ତ ସବୁଠି ନଜର ରଖାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories