Woman Passenger Molested: କନଫର୍ମ ଟିକେଟ୍ ଦେବା ନାଁରେ ମହିଳାଯାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଭାଲ୍ଭମ୍ୟାନ୍ଙ୍କୁ ଅଟକ ରଖିଲା ଜିଆର୍ପି
ରାଉରକେଲା: ରାଉରକେଲା ରେଳ ଷ୍ଟେସନ ପରିସରରେ ଜଣେ ମହିଳା ରେଳଯାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଗୁରୁତର ଅଭିଯୋଗ ଆସିଛି। ପ୍ଲାଟଫର୍ମ ନମ୍ବର-୧ ପାର୍ଶ୍ୱରେ ଥିବା ଅଫିସର ରେଷ୍ଟ ହାଉସ୍ ନିକଟସ୍ଥ ରେଳବାଇ ଭାଲ୍ଭ ରୁମ୍ରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଘଟଣାରେ ରାଉରକେଲା ଜିଆର୍ପି ଜଣେ ୫୪ ବର୍ଷୀୟ ଭାଲ୍ଭମ୍ୟାନ୍ କପିଳେଶ୍ୱର ସିଂଙ୍କୁ ଅଟକ ରଖିଛି। ଅଭିଯୋଗ ଅନୁସାରେ, ନୂଆପଡ଼ା ଥାନା ଅଞ୍ଚଳର ୨୦ ବର୍ଷୀୟା ଯୁବତୀ ବେଙ୍ଗାଲୁରୁ ଯିବା ପାଇଁ ଗୁରୁବାର ସକାଳେ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲେ। କନଫର୍ମ ଟିକେଟ୍ ନଥିବାରୁ ସେ ଷ୍ଟେସନର ମୁଖ୍ୟଦ୍ୱାର ନିକଟରେ ଅପେକ୍ଷା କରୁଥିଲେ।
ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଆଇଓଡବ୍ଲ୍ୟୁ ବିଭାଗରେ କାର୍ଯ୍ୟରତ ଭାଲ୍ଭମ୍ୟାନ୍ କପିଳେଶ୍ୱର ସିଂ ତାଙ୍କୁ କନଫର୍ମ ଟିକେଟ୍ ଦେବାକୁ କହିଥିଲେ। ପରେ ସେ ଯୁବତୀଙ୍କୁ ପ୍ଲାଟଫର୍ମ ନମ୍ବର-୧ ପାର୍ଶ୍ୱରେ ଥିବା ଅଫିସର ରେଷ୍ଟ ହାଉସ୍ ନିକଟକୁ ନେଇଯାଇଥିଲେ। ସେଠାରେ ଥିବା ଭାଲ୍ଭ ରୁମ୍ରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଯୁବତୀ ଜିଆର୍ପି ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଜିଆର୍ପି ଟିମ୍ ଯୁବତୀଙ୍କୁ ଘଟଣାସ୍ଥଳକୁ ନେଇଥିଲା। ସେଠାରେ ଯୁବତୀ ଭାଲ୍ଭ ରୁମ୍ଟିକୁ ଚିହ୍ନଟ କରିଥିଲେ। ଏହାପରେ ରେଳବାଇର ଏସ୍ଏସ୍ଇ/ୱର୍କ୍ସଙ୍କ ସହ ଯୋଗାଯୋଗ କରି ଘଟଣା ସମୟରେ ଡ୍ୟୁଟିରେ ଥିବା ଭାଲ୍ଭମ୍ୟାନ୍ଙ୍କ ସମ୍ପର୍କରେ ଜିଆର୍ପି ତଥ୍ୟ ସଂଗ୍ରହ କରିଥିଲା। ଘଟଣାସ୍ଥଳରେ କପିଳେଶ୍ୱର ସିଂ ପହଞ୍ଚିବା ପରେ ଯୁବତୀ ତାଙ୍କୁ ଚିହ୍ନଟ କରିଥିବା ଜିଆର୍ପି ପକ୍ଷରୁ କୁହାଯାଇଛି।
ଘଟଣା ପରେ ଯୁବତୀଙ୍କର ରାଉରକେଲା ସରକାରୀ ହସ୍ପିଟାଲରେ ମେଡିକାଲ ପରୀକ୍ଷା କରାଯାଇଛି। ଏନେଇ ରାଉରକେଲା ଜିଆର୍ପି ଥାନାରେ କେସ୍ ନମ୍ବର ୧୨୬/୨୦୨୬ ରୁଜୁ ହୋଇଥିବା ବେଳେ ବିଏନ୍ଏସ୍ ଧାରା ୬୪(୨)(ବି) ଅନୁଯାୟୀ ମାମଲା ରୁଜୁ ହୋଇଛି। ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଆର୍ପିଏଫ୍ ଓ ଜିଆର୍ପି ଟିମ୍ ମୁତୟନ ଥିବା ସତ୍ତ୍ୱେ ଦିନବେଳେ ଷ୍ଟେସନ ପରିସରରେ ଏଭଳି ଗୁରୁତର ଅଭିଯୋଗ ଆସିବା ପରେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। ଚକ୍ରଧରପୁର ରେଳମଣ୍ଡଳର ସିନିୟର ଡିସିଏମ୍ ଆଦିତ୍ୟ ଚୌଧୁରୀ କହିଛନ୍ତି ଯେ, ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରାଯାଉଛି। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ସମ୍ପୃକ୍ତ ରେଳକର୍ମଚାରୀଙ୍କ ବିରୋଧରେ ରେଳ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

