Kerala Crime: ଶିକ୍ଷକ ଓ ସହପାଠୀଙ୍କ ଫଟୋ ମର୍ଫ କରି ଅଶ୍ଳୀଳ କଣ୍ଟେଣ୍ଟ ତିଆରି ଅଭିଯୋଗ, କଲେଜ ଛାତ୍ର ଗିରଫ
କେରଳମ: କେରଳର କୋଚି ଥ୍ରିକ୍କାକରାସ୍ଥିତ ଭାରତ ମାତା କଲେଜର ଦ୍ୱିତୀୟ ବର୍ଷର ବିବିଏ ଲଜିଷ୍ଟିକ୍ସ ଛାତ୍ର ଶ୍ରୀହରି ଏସ୍ଙ୍କୁ ଶିକ୍ଷକ ଓ ଛାତ୍ରୀମାନଙ୍କ ଫଟୋ-ଭିଡିଓକୁ ଡିଜିଟାଲ୍ ଭାବେ ମର୍ଫ କରି ଅଶ୍ଳୀଳ କଣ୍ଟେଣ୍ଟ ତିଆରି ଏବଂ ସୋସିଆଲ୍ ମିଡିଆରେ ପ୍ରସାରଣ କରିବା ଅଭିଯୋଗରେ ପୁଲିସ୍ ଗିରଫ କରିଛି। କଲେଜର ପ୍ରିନ୍ସିପାଲ୍-ଇନ୍-ଚାର୍ଜଙ୍କ ଅଭିଯୋଗ ପରେ ଥ୍ରିକ୍କାକରା ପୁଲିସ୍ ମାମଲା ରୁଜୁ କରିଥିଲା। ତାଙ୍କ ମୋବାଇଲ୍ ଓ ଅନ୍ୟ ଡିଜିଟାଲ୍ ଡିଭାଇସ୍ର ପ୍ରାଥମିକ ଯାଞ୍ଚରେ ଅନେକ ମର୍ଫଡ୍ ଫଟୋ ଓ ଭିଡିଓ ମିଳିଥିବା ପୁଲିସ୍ କହିଛି। ଅଭିଯୋଗ ଅନୁସାରେ, ଶ୍ରୀହରି ୨୦୨୫ ମସିହାରୁ କଲେଜର ବିଭିନ୍ନ କାର୍ଯ୍ୟକ୍ରମ ଓ ଅନ୍ୟ ସମୟରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଫଟୋ-ଭିଡିଓ ସଂଗ୍ରହ କରୁଥିଲେ ଏବଂ ପରେ ସେଗୁଡ଼ିକୁ ଏଆଇ କିମ୍ବା ଅନ୍ୟ ଡିଜିଟାଲ୍ ଉପାୟରେ ପରିବର୍ତ୍ତନ କରୁଥିଲେ। ଏହି ମାମଲାରେ ପୁଲିସ୍ ଆଇଟି ଆକ୍ଟ ସମେତ ସମ୍ପୃକ୍ତ ଆଇନର ଧାରାରେ ମାମଲା ରୁଜୁ କରିଛି।
ପୁଲିସ୍ର ତଦନ୍ତରେ ଏକ Telegram ଗ୍ରୁପ୍ର ସମ୍ପୃକ୍ତି ନେଇ ମଧ୍ୟ ତଥ୍ୟ ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, ଶ୍ରୀହରି ଏଭଳି ଏକ ଗ୍ରୁପ୍ର ସଦସ୍ୟ ଥିଲେ, ଯେଉଁଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଫଟୋ-ଭିଡିଓ ଅପଲୋଡ୍ କରାଯାଇ ସେଗୁଡ଼ିକୁ ଅଶ୍ଳୀଳ କଣ୍ଟେଣ୍ଟରେ ପରିଣତ କରାଯାଉଥିବା ପୁଲିସ୍ ଦାବି କରିଛି। ଗ୍ରୁପ୍ରେ ଏକାଧିକ ସଦସ୍ୟ ଥିବାରୁ ସେମାନଙ୍କ ପରିଚୟ ଚିହ୍ନଟ କରିବାକୁ ତଦନ୍ତ ଚାଲିଛି। ଏହାସହ ଏଭଳି ମର୍ଫଡ୍ ଫଟୋ ଓ ଭିଡିଓ ଯୋଗାଇବା ବଦଳରେ ଶ୍ରୀହରି କୌଣସି ଟଙ୍କା ନେଇଥିଲେ କି ନାହିଁ, ତାହା ମଧ୍ୟ ଯାଞ୍ଚ ହେଉଛି। ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଆର୍ଥିକ କାରବାରକୁ ପୁଲିସ୍ ଯାଞ୍ଚ କରୁଛି। ଶ୍ରୀହରି ଏକ ଛାତ୍ର ସଂଗଠନର ମିଡିଆ ସେଲ୍ରେ ଥିବାରୁ କଲେଜର କାର୍ଯ୍ୟକ୍ରମର ଫଟୋ ଓ ଭିଡିଓ ପାଇବାର ସୁଯୋଗ ତାଙ୍କ ପାଖରେ ଥିବା ପୁଲିସ୍ କହିଛି। Telegram ଓ Instagram ସମେତ ବିଭିନ୍ନ ଗ୍ରୁପ୍ରେ ଏହି କଣ୍ଟେଣ୍ଟ କିପରି ପ୍ରସାରିତ ହୋଇଥିଲା, ସେନେଇ ମଧ୍ୟ ଡିଜିଟାଲ୍ ତଦନ୍ତ ଚାଲିଛି।
ଘଟଣା ସାମ୍ନାକୁ ଆସିବା ପରେ କଲେଜରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଥିଲେ। ଅଭିଯୁକ୍ତ ଛାତ୍ରଙ୍କୁ କଲେଜ ପରିଚାଳନା ବାହାରକୁ ଯିବାରେ ସହାୟତା କରିଥିବା ଏବଂ ଘଟଣାକୁ ଚପାଇବାକୁ ଚେଷ୍ଟା କରିଥିବା ଛାତ୍ରମାନେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଆହୁରି କିଛି ବ୍ୟକ୍ତି ସମ୍ପୃକ୍ତ ଥିବା ଦାବି କରି ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ତେବେ କଲେଜ ପରିଚାଳନା ଏହି ଅଭିଯୋଗକୁ ଖଣ୍ଡନ କରିଛି। ସେପ୍ଟେମ୍ବର ୧ ରାତିରେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ତୁରନ୍ତ ପୁଲିସ୍କୁ ସୂଚନା ଦିଆଯାଇଥିବା କଲେଜ କହିଛି। ଏହାସହ ଶ୍ରୀହରିଙ୍କୁ କଲେଜରୁ ବହିଷ୍କାର କରାଯାଇଥିବା ମଧ୍ୟ ପରିଚାଳନା ପକ୍ଷରୁ କୁହାଯାଇଛି। ଏବେ ପୁଲିସ୍ ଜବତ ଡିଜିଟାଲ୍ ଡିଭାଇସ୍, ଅନଲାଇନ୍ ଗ୍ରୁପ୍ ଓ ଆର୍ଥିକ କାରବାରର ଯାଞ୍ଚ କରି ଏହି ଘଟଣାରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି ଏବଂ ମର୍ଫଡ୍ କଣ୍ଟେଣ୍ଟ କେତେ ଦୂର ପ୍ରସାରିତ ହୋଇଛି, ତାହା ଖୋଜୁଛି।

