Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Kuwait: ୩ ମାସ ହେଲା କୁଏତ୍‌ରେ ନିର୍ଯାତନା ଅଭିଯୋଗ, ଭିଡିଓ ଜାରି କରି ଉଦ୍ଧାର ପାଇଁ ତାମିଲନାଡୁ ମହିଳାଙ୍କ ଆକୁଳ ନିବେଦନ

ନୂଆଦିଲ୍ଲୀ: ଘରୋଇ କାମ ପାଇଁ କୁଏତ୍‌ ଯାଇଥିବା ତାମିଲନାଡୁର ଜଣେ ମହିଳା ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ କରି ଭିଡିଓ ମାଧ୍ୟମରେ ସହାୟତା ମାଗିଛନ୍ତି। ଅନିଥା ନାମକ ଏହି ମହିଳା କହିଛନ୍ତି ଯେ, କୁଏତ୍‌ରେ ପହଞ୍ଚିବାର ୩ ମାସ ହୋଇଥିବା ବେଳେ ଗତ ୨ ମାସ ଧରି ତାଙ୍କ ସହ ଅତ୍ୟନ୍ତ ଖରାପ ବ୍ୟବହାର ଓ ନିର୍ଯାତନା କରାଯାଉଛି। ଏପରିକି ୫୦ ଦିନରୁ ଅଧିକ ସମୟ ଧରି ଠିକ୍‌ ଭାବେ ଖାଇବାକୁ ମିଳୁନଥିବା ଏବଂ ଦୁଇ ମାସର ଦରମା ମଧ୍ୟ ଦିଆଯାଇନଥିବା ସେ ଅଭିଯୋଗ କରିଛନ୍ତି।

ଭିଡିଓରେ ଅନିଥା କଲ୍ଲାକୁରିଚି ଜିଲ୍ଲାପାଳ ଓ ପୁଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଆକୁଳ ନିବେଦନ କରି ତାଙ୍କୁ କୌଣସି ପ୍ରକାରେ ଉଦ୍ଧାର କରି ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବାକୁ କହିଛନ୍ତି। ଦୁଇଜଣ କିଶୋର ସନ୍ତାନଙ୍କ ମା’ ଅନିଥା କହିଛନ୍ତି ଯେ, ସେ ଆଉ ଏହି ପରିସ୍ଥିତି ସହିପାରୁନାହାନ୍ତି ଏବଂ ନିଜ ଜୀବନକୁ ନେଇ ଭୟଭୀତ ଅଛନ୍ତି। ତାଙ୍କ କହିବା ଅନୁସାରେ, ଘରୋଇ କାମ ପାଇଁ ସେ କିଛି ମଧ୍ୟସ୍ଥଙ୍କ ଜରିଆରେ କୁଏତ୍‌ ଯାଇଥିଲେ। ତେବେ ସେଠାରେ ତାଙ୍କୁ ଅତ୍ୟନ୍ତ ନିଷ୍ଠୁର ଭାବେ ବ୍ୟବହାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

ଅନିଥାଙ୍କ ମା’ ଅନିଲା ମଧ୍ୟ ଝିଅକୁ ଶୀଘ୍ର ଉଦ୍ଧାର କରି ଭାରତ ଫେରାଇ ଆଣିବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ପରିବାର ଜଣେ ଏଜେଣ୍ଟଙ୍କ ଦ୍ୱାରା ଠକେଇର ଶିକାର ହୋଇଥିଲା ଏବଂ ତାଙ୍କ ଝିଅଙ୍କୁ କୁଏତ୍‌ରେ ନିର୍ଯାତନା ଦିଆଯାଉଛି। ଝିଅର ସୁରକ୍ଷାକୁ ନେଇ ଚିନ୍ତିତ ମା’ ତୁରନ୍ତ ପ୍ରଶାସନିକ ଓ ଆଇନଗତ ହସ୍ତକ୍ଷେପ କରି ଅନିଥାଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବାକୁ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories