Air India Flight: ଓଡ଼ିଶା ଉପରେ ହଠାତ୍ ୩୦୦ ଫୁଟ୍ ତଳକୁ ଖସିଥିଲା ବିମାନ, ପାଇଲଟଙ୍କ ଶରୀରରେ Psychoactive Substance ମିଳିଲା
ନୂଆଦିଲ୍ଲୀ: ଫୁକେଟ୍ରୁ ଦିଲ୍ଲୀ ଯାଉଥିବା Air India ବିମାନ ଓଡ଼ିଶା ଆକାଶସୀମା ଉପରେ ଉଡ଼ୁଥିବା ବେଳେ ହଠାତ୍ ପ୍ରାୟ ୩୦୦ ଫୁଟ୍ ତଳକୁ ଖସିବା ଘଟଣାର ତଦନ୍ତ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। Aircraft Accident Investigation Bureau (AAIB)ର ପ୍ରାଥମିକ ରିପୋର୍ଟ ଅନୁସାରେ, ବିମାନର ମୁଖ୍ୟ ପାଇଲଟ୍ଙ୍କ ରକ୍ତ ନମୁନାରେ psychoactive substance ଚିହ୍ନଟ ହୋଇଛି। ଦିଲ୍ଲୀରେ ବିମାନ ଅବତରଣ ପରେ ତାଙ୍କର ପ୍ରଥମ ପରୀକ୍ଷାରେ ମଧ୍ୟ ଏହାର ସଙ୍କେତ ମିଳିଥିଲା। ପରେ ନିଶ୍ଚିତ କରିବା ପାଇଁ ରକ୍ତ ପରୀକ୍ଷା କରାଯିବା ପରେ ମଧ୍ୟ ରିପୋର୍ଟ non-negative ଆସିଥିଲା। ଅନ୍ୟପଟେ, କୋ-ପାଇଲଟଙ୍କ ଉଭୟ ପରୀକ୍ଷା ନେଗେଟିଭ୍ ଆସିଛି।
ଘଟଣା ସମୟରେ ବିମାନରେ ୧୩୭ ଜଣ ଯାତ୍ରୀ, ୩ ଜଣ ଶିଶୁ, ୬ ଜଣ କ୍ୟାବିନ୍ କ୍ରୁ ଏବଂ ୨ ଜଣ ପାଇଲଟ୍ଙ୍କୁ ମିଶାଇ ମୋଟ ୧୪୫ ଜଣ ଥିଲେ। ବିମାନଟି ଉଡ଼ାଣ ସମୟରେ ପ୍ରଥମେ ଗୋଟିଏ ହାଇଡ୍ରୋଲିକ୍ ସିଷ୍ଟମ୍ରେ ସମସ୍ୟା ଦେଖାଦେଇଥିଲା। କିଛି ସମୟ ପରେ ଅନ୍ୟ ଦୁଇଟି ସିଷ୍ଟମ୍ ମଧ୍ୟ ପ୍ରଭାବିତ ହୋଇଥିଲା। ଫଳରେ ବିମାନର ନିୟନ୍ତ୍ରଣରେ ସମସ୍ୟା ହୋଇଥିଲା ଏବଂ ଏହା ନିର୍ଦ୍ଧାରିତ ଉଚ୍ଚତାଠାରୁ ୨୯୨ ଫୁଟ୍ ତଳକୁ ଖସିଥିଲା। ତେବେ କିଛି ସମୟ ପରେ ହାଇଡ୍ରୋଲିକ୍ ସିଷ୍ଟମ୍ଗୁଡ଼ିକ ପୁଣି କାମ କରିବାରୁ ବିମାନ ନିୟନ୍ତ୍ରଣକୁ ଫେରିଥିଲା ଏବଂ ସୁରକ୍ଷିତ ଭାବେ ଦିଲ୍ଲୀରେ ଅବତରଣ କରିଥିଲା। ଘଟଣାରେ ୨୦ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟ ଆହତ ହୋଇଥିଲେ।
ପ୍ରଥମେ ଏହି ଘଟଣାକୁ ସାଧାରଣ turbulence ବୋଲି କୁହାଯାଇଥିଲା। କିନ୍ତୁ ପରେ ଯାଞ୍ଚ ସମୟରେ ମିଳିଥିବା ପ୍ରମାଣ ଓ ଯାତ୍ରୀ-କ୍ରୁଙ୍କ ଆହତ ହେବାକୁ ଆଧାର କରି AAIB ଏହାକୁ ‘accident’ ଭାବେ ବର୍ଗୀକୃତ କରିଥିଲା। ଘଟଣାରେ ବିମାନର ଭିତରେ ଥିବା overhead luggage bins ଓ ceiling panels ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। AAIB କହିଛି ଯେ, ପାଇଲଟଙ୍କ ଶରୀରରେ psychoactive substance ମିଳିବା ଏକ ଗୁରୁତର ବିଷୟ। ଏନେଇ DGCAକୁ ଶୀଘ୍ର ଉପଯୁକ୍ତ ପଦକ୍ଷେପ ନେବାକୁ AAIB ସୁପାରିସ କରିଛି। ତେବେ ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ଦିଗ ଉପରେ ତଦନ୍ତ ଏବେ ମଧ୍ୟ ଜାରି ରହିଛି ଏବଂ ଚୂଡ଼ାନ୍ତ ରିପୋର୍ଟ ପରେ ଆସିବ।

