Delhi-NCR Rain: ଦିଲ୍ଲୀ-ୟୁପିରେ ବର୍ଷାର ତାଣ୍ଡବ, ଏୟାରପୋର୍ଟରେ ଆଣ୍ଠୁଏ ପାଣି; ଆଜି ମଧ୍ୟ ଘଡ଼ଘଡ଼ି ସହ ବର୍ଷା ନେଇ ଆଲର୍ଟ
ନୂଆଦିଲ୍ଲୀ: ସେପ୍ଟେମ୍ବର ଆରମ୍ଭରୁ ମୌସୁମୀ ବାୟୁର ପ୍ରଭାବ ବଢ଼ିବା ସହ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ଦିଲ୍ଲୀ-ଏନସିଆରରେ ଶୁକ୍ରବାର ଅପରାହ୍ନରୁ ଲଗାତାର ବର୍ଷା ହେବା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ପରିସରରେ ମଧ୍ୟ ବର୍ଷା ପାଣି ଜମିଥିବାରୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଅହମ୍ମଦାବାଦ, ମୁମ୍ବାଇ ଓ ପୋର୍ଟବ୍ଲେୟାରରୁ ଦିଲ୍ଲୀ ଆସୁଥିବା କିଛି ବିମାନ ବିଳମ୍ବରେ ପହଞ୍ଚିଥିବା ବେଳେ ବିମାନବନ୍ଦରର ବିଭିନ୍ନ ସ୍ଥାନରେ ପାଣି ଜମିବା ଯୋଗୁଁ ଯାତ୍ରୀମାନେ ଅସୁବିଧାରେ ପଡ଼ିଛନ୍ତି।
ସେପଟେ ଉତ୍ତରପ୍ରଦେଶରେ ମଧ୍ୟ ବର୍ଷା ଓ ବନ୍ୟା ସ୍ଥିତି ଚିନ୍ତା ବଢ଼ାଇଛି। ରାଜ୍ୟର ୨୩ଟି ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବାରାଣସୀ ଓ ଚିତ୍ରକୂଟ ଅଧିକ ପ୍ରଭାବିତ ହୋଇଛି। ବିଭିନ୍ନ ପ୍ରଭାବିତ ଅଞ୍ଚଳରୁ ଏପର୍ଯ୍ୟନ୍ତ ୧୬ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ମଧ୍ୟପ୍ରଦେଶରେ ମନ୍ଦାକିନୀ ଓ ନର୍ମଦା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ମୋରଡୁଙ୍ଗରିରେ ଜଣେ ଯୁବକ ଜଳସ୍ରୋତରେ ଭାସିଯାଇଥିବା ଖବର ମିଳିଛି। ଜବଲପୁରର ଗ୍ୱାରୀଘାଟରେ ପାଟ୍ରୋଲିଂ ପାଇଁ ଯାଇଥିବା ହୋମଗାର୍ଡଙ୍କ ମୋଟରବୋଟ୍ ମଧ୍ୟ ବୁଡ଼ିଯାଇଛି।
ବିହାରରେ ମଧ୍ୟ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ରାଜ୍ୟର ୧୬ଟି ଜିଲ୍ଲାରେ ପ୍ରାୟ ୫ ଲକ୍ଷ ଲୋକ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ଗଙ୍ଗା ସମେତ ୮ଟି ପ୍ରମୁଖ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହା ମଧ୍ୟରେ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ଆଗାମୀ ସମୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମଧ୍ୟପ୍ରଦେଶରେ ଆଗାମୀ ୪୮ ଘଣ୍ଟା ପାଇଁ ମଧ୍ୟ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି।

