Kalinganagar Crime: ସ୍ୱାମୀଙ୍କ ଦୁର୍ଘଟଣା ଖବର ଦେଇ ଡାକିନେଲେ, ପରିତ୍ୟକ୍ତ ଗେଷ୍ଟ ହାଉସ୍ରେ ଗଣଦୁଷ୍କର୍ମ ଅଭିଯୋଗ
ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ସ୍ୱାମୀଙ୍କ ଦୁର୍ଘଟଣା ହୋଇଥିବା ମିଛ ଖବର ଦେଇ ଡାକିନେବା ପରେ ଗଣଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଯାଜପୁର ରୋଡ୍ର ଏକ ହୋଟେଲରେ କାମ କରୁଥିବା ମହିଳାଙ୍କୁ ସେଠାରେ ରୋଷେୟା ଭାବେ କାମ କରୁଥିବା କାହ୍ନୁ ସାହୁ ଫୋନ୍ କରି ତାଙ୍କ ସ୍ୱାମୀଙ୍କ ଚଣ୍ଡିଖୋଲରେ ଦୁର୍ଘଟଣା ଘଟିଥିବା କହିଥିଲା। ଏହି ଖବର ପାଇ ମହିଳା ଚଣ୍ଡିଖୋଲ ଛକରେ ପହଞ୍ଚିବା ପରେ କାହ୍ନୁ ଜଣେ ଯୁବକଙ୍କୁ ପଠାଇ ତାଙ୍କୁ ବାଇକ୍ରେ ଚଣ୍ଡିମନ୍ଦିର ନିକଟ ଏକ ପରିତ୍ୟକ୍ତ ଗେଷ୍ଟ ହାଉସ୍କୁ ନେଇଥିବା ଅଭିଯୋଗ ରହିଛି।
ପରେ କାହ୍ନୁ ଓ ତା’ର ସହଯୋଗୀ ସେଠାରେ ପହଞ୍ଚି ମଦ୍ୟପାନ କରିଥିଲେ। ସେମାନେ ମିଛ ଦୁର୍ଘଟଣା ଖବର ଦେଇ ଡାକିଥିବା କଥା ଜଣାପଡ଼ିବା ପରେ ମହିଳାଙ୍କ ସହ ପାଟିତୁଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ଏହାପରେ ଉଭୟ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଏବଂ ବିରୋଧ କରିବାରୁ ତାଙ୍କୁ ମାଡ଼ ମାରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଭୋର ସମୟରେ ମହିଳାଙ୍କୁ ଅଚେତ ଅବସ୍ଥାରେ ଚଣ୍ଡିଖୋଲ ରାସ୍ତାରେ ଛାଡ଼ି ଅଭିଯୁକ୍ତମାନେ ଚାଲିଯାଇଥିଲେ। ପରେ ଚେତା ଫେରିବା ପରେ ମହିଳା ଜଣକ ସମ୍ପର୍କୀୟଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ।
ଏହି ଘଟଣାକୁ ନେଇ ପୀଡ଼ିତା ପ୍ରଥମେ ସୁକିନ୍ଦା ଥାନାକୁ ଯାଇଥିବା ବେଳେ ଘଟଣା କଳିଙ୍ଗନଗର ଥାନା ଅଞ୍ଚଳରେ ହୋଇଥିବାରୁ ସେଠାକୁ ପଠାଯାଇଥିଲା। ପରେ କଳିଙ୍ଗନଗର ପୁଲିସ କେସ୍ ନମ୍ବର ୨୫୯/୨୬ରେ ବିଏନ୍ଏସ୍ର ଧାରା ୭୦(୧), ୧୧୫(୨) ଓ ୧୨୩ ଅଧୀନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ କାହ୍ନୁ ସାହୁଙ୍କୁ ଧରିବା ପରେ ତାଙ୍କ ସୂଚନା ଆଧାରରେ ଅନ୍ୟ ଜଣେ ସହଯୋଗୀଙ୍କୁ ମଧ୍ୟ ଧରିଥିବା ସୂଚନା ମିଳିଛି। ଉଭୟଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ବେଳେ ଘଟଣାର ସମସ୍ତ ଦିଗ ନେଇ ତଦନ୍ତ ଜାରି ରହିଛି।

