WhatsApp Bill Payments: whatsapp ବ୍ୟବହାରୀଙ୍କ ପାଇଁ ନୂଆ ସୁବିଧା; ବିଦ୍ୟୁତ୍ରୁ FASTag ପର୍ଯ୍ୟନ୍ତ ଏବେ WhatsAppରେ ଦେଇପାରିବେ ବିଲ୍
ନୂଆଦିଲ୍ଲୀ: ମେଟା ମାଲିକାନାଧୀନ ମେସେଜିଂ ଆପ୍ WhatsApp ଭାରତରେ ନୂଆ Bill Payments ସୁବିଧା ଆରମ୍ଭ କରିଛି। ଏହା ମାଧ୍ୟମରେ ବ୍ୟବହାରକାରୀମାନେ ଆଉ ଅଲଗା ଆପ୍କୁ ଯିବା ଆବଶ୍ୟକ ନପଡ଼ି WhatsAppରୁ ସିଧାସଳଖ ବିଭିନ୍ନ ଘରୋଇ ଓ ଦୈନନ୍ଦିନ ବିଲ୍ ଖୋଜିବା, ପରିଚାଳନା କରିବା ଏବଂ ପେମେଣ୍ଟ କରିପାରିବେ। Bharat Connect (BBPS) ନେଟୱର୍କର ସହଯୋଗରେ ଆରମ୍ଭ ହୋଇଥିବା ଏହି ସୁବିଧାରେ ବିଦ୍ୟୁତ୍, ଗ୍ୟାସ୍, ପାଣି, FASTag, ବୀମା, କ୍ରେଡିଟ୍ କାର୍ଡ ଓ ଋଣ ପରିଶୋଧନ ସମେତ ୩୦ଟି ବର୍ଗର ୨୨,୭୨୨ ବିଲର୍ ଉପଲବ୍ଧ ରହିଛି।
WhatsApp କହିଛି, ଏହି ସୁବିଧା ପର୍ଯ୍ୟାୟକ୍ରମେ ସାରା ଭାରତର ବ୍ୟବହାରକାରୀଙ୍କ ପାଖରେ ପହଞ୍ଚାଯାଉଛି ଏବଂ ଆସନ୍ତା କିଛି ସପ୍ତାହ ମଧ୍ୟରେ Android ଓ iOSରେ ଉପଲବ୍ଧ ହେବ। ହୋମ୍ ସ୍କ୍ରିନ୍ର ଉପରେ ଥିବା ଆଇକନ୍ ମାଧ୍ୟମରେ Bill Paymentsକୁ ଆକ୍ସେସ୍ କରି ବ୍ୟବହାରକାରୀ ପୂର୍ବରୁ କରିଥିବା ପେମେଣ୍ଟ ଦେଖିବା ସହ ଆଗାମୀ ବିଲ୍ ଓ ଏକାଧିକ ଆକାଉଣ୍ଟ ପରିଚାଳନା କରିପାରିବେ। ଗୋଟିଏ ବିଲର୍ ଅଧୀନରେ ଘର, ଅଫିସ୍ କିମ୍ବା ପରିବାରର ଭିନ୍ନ ଆକାଉଣ୍ଟକୁ ମଧ୍ୟ ଏକ ସ୍ଥାନରୁ ପରିଚାଳନା କରାଯାଇପାରିବ। ସାଧାରଣତଃ ଅଧିକ ବ୍ୟବହୃତ ବିଲ୍ ବର୍ଗଗୁଡ଼ିକ ମଧ୍ୟ ଆପେଆପେ ଦେଖାଯିବ।
ମେଟା ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ତଥା କଣ୍ଟ୍ରି ହେଡ୍ ଅରୁଣ ଶ୍ରୀନିବାସ କହିଛନ୍ତି ଯେ, ଭାରତରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ WhatsApp ପରିବାର ଓ ବନ୍ଧୁଙ୍କ ସହ ଯୋଗାଯୋଗଠାରୁ ଆରମ୍ଭ କରି ବ୍ୟବସାୟ, ନାଗରିକ ସେବା ଓ ଡିଜିଟାଲ ପେମେଣ୍ଟ ପର୍ଯ୍ୟନ୍ତ ଏକ ସହଜ ମାଧ୍ୟମ ପାଲଟିଛି। ଏବେ Bill Payments ଯୋଡ଼ାଯିବା ଫଳରେ ଲୋକେ ଏକାଧିକ ଆପ୍ ବ୍ୟବହାର ନକରି WhatsAppରୁ ହିଁ ନିୟମିତ ବିଲ୍ ପରିଶୋଧ କରିପାରିବେ। ଏହି ସୁବିଧା ଡିଜିଟାଲ ପେମେଣ୍ଟକୁ ଦେଶର ଦୂରଦୂରାନ୍ତ ଅଞ୍ଚଳର ଲୋକଙ୍କ ପାଇଁ ମଧ୍ୟ ଆହୁରି ସହଜ କରିବାରେ ସହାୟକ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

