Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Trump Projects: ନିଜ ନାଁରେ ପ୍ରକଳ୍ପ କରିବାକୁ ନେଇ ଟ୍ରମ୍ପଙ୍କ ବଡ଼ ଦାବି, କହିଲେ- ‘ମୁଁ ଚାଲିଗଲେ ଏଭଳି କେହି କରିବେ ନାହିଁ’

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ୍‌ ଡିସିରେ ନିର୍ମାଣ ହେଉଥିବା ବିଭିନ୍ନ ସରକାରୀ ପ୍ରକଳ୍ପରେ ନିଜ ନାମ ଯୋଡ଼ିବା ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ‘ନ୍ୟୁୟର୍କ ମ୍ୟାଗାଜିନ୍‌’କୁ ଦେଇଥିବା ଏକ ସାକ୍ଷାତକାରରେ ଏକ ‘ବିଜୟ ତୋରଣ’ ସମ୍ପର୍କରେ ପଚରାଯିବାରୁ ଟ୍ରମ୍ପ କହିଥିଲେ ଯେ, ସେ ପଦରୁ ଚାଲିଯିବା ପରେ ଅନ୍ୟ କେହି ଏଭଳି କାମ କରିବେ ନାହିଁ, ତେଣୁ ସେ ନିଜେ ଏହା କରୁଛନ୍ତି। ନିଜର ରାଜନୈତିକ ଓ ଐତିହାସିକ ପ୍ରଭାବକୁ ବଜାୟ ରଖିବା ଉଦ୍ଦେଶ୍ୟରେ ସେ ବିଭିନ୍ନ ପ୍ରକଳ୍ପ ସହ ନିଜ ନାମ ଯୋଡ଼ୁଥିବା କଥା ମଧ୍ୟ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି।

ୱାଶିଂଟନ୍‌ରେ ଟ୍ରମ୍ପ ପ୍ରଶାସନ ଆରମ୍ଭ କରିଥିବା ବିଭିନ୍ନ ବିବାଦୀୟ ପ୍ରକଳ୍ପ ମଧ୍ୟରେ ଏହି ବିଜୟ ତୋରଣ ସହ ହ୍ୱାଇଟ୍‌ ହାଉସ୍‌ରେ ଏକ ବିଶାଳ ବଲରୁମ୍‌ ନିର୍ମାଣ ମଧ୍ୟ ଚର୍ଚ୍ଚାରେ ରହିଛି। ଏହି ନିର୍ମାଣ ଓ ନାମକରଣକୁ ନେଇ ସମାଲୋଚନା ହେଉଥିଲେ ମଧ୍ୟ ଟ୍ରମ୍ପ ନିଜ କାର୍ଯ୍ୟକୁ ନେଇ ଗର୍ବିତ ବୋଲି କହିଛନ୍ତି। କେନେଡି ସେଣ୍ଟରର ନାମ ପରିବର୍ତ୍ତନ, ଗଲ୍ଫ କୋର୍ସର ନବୀକରଣ ଏବଂ ଲିଙ୍କନ ମେମୋରିଆଲ ରିଫ୍ଲେକ୍ଟିଂ ପୁଲ୍‌ର ନାମ ପରିବର୍ତ୍ତନ ଭଳି ପଦକ୍ଷେପକୁ ନେଇ ମଧ୍ୟ ତାଙ୍କ ପ୍ରଶାସନ ସମାଲୋଚନାର ସାମ୍ନା କରିଛି। ଏହାସହ ‘ଟ୍ରମ୍ପ ଆକାଉଣ୍ଟସ୍‌’, ‘ଟ୍ରମ୍ପ-ଆରଏକ୍ସ’ ଏବଂ ନିର୍ଦ୍ଦିଷ୍ଟ ନିବେଶ ବଦଳରେ ଆମେରିକାରେ ରହିବାର ସୁଯୋଗ ଦେଉଥିବା ‘ଟ୍ରମ୍ପ ଗୋଲ୍ଡ କାର୍ଡ’ ଭଳି ନାମ ମଧ୍ୟ ଚର୍ଚ୍ଚାରେ ରହିଛି।

ସେହିପରି, ହ୍ୱାଇଟ୍‌ ହାଉସ୍‌ର ପୂର୍ବ ୱିଙ୍ଗ୍‌କୁ ହଟାଇ ସେଠାରେ ନିର୍ମାଣ ହେଉଥିବା ବଲରୁମ୍‌କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ସାମ୍ନାକୁ ଆସିଥିବା ପ୍ରସ୍ତାବିତ ନକ୍ସାରେ ବଲରୁମ୍‌ର ଭିତରେ ମାର୍ବଲ୍‌ ଓ ସୁନା ଆଲଙ୍କାରିକ ବ୍ୟବହାର ସହ ବାହାର ଭାଗରେ ମଧ୍ୟ ସୁନା ରଙ୍ଗର ଆସ୍ତରଣ ରହିବାର ଦାବି କରାଯାଇଛି। ତେବେ ଏହି ବାହ୍ୟ ନକ୍ସାକୁ ନେଇ ସରକାରୀ ଅନୁମୋଦନ ସମ୍ପର୍କରେ ମଧ୍ୟ ପ୍ରଶ୍ନ ଉଠିଛି। ଏହି ସମସ୍ତ ପ୍ରକଳ୍ପ ଓ ନାମକରଣ ମାଧ୍ୟମରେ ନିଜ ରାଜନୈତିକ ଛାପ ଛାଡ଼ିବାକୁ ଟ୍ରମ୍ପ ଚାହୁଁଥିବା ନେଇ ଆମେରିକାରେ ଚର୍ଚ୍ଚା ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories