Engineer Anupama Sahu Arrest: ଲାଞ୍ଚ ଟଙ୍କା ନେଇ ଯାଉଥିବାବେଳେ ଧରାପଡ଼ିଲେ ଯନ୍ତ୍ରୀ, ଗାଡ଼ିରୁ ମିଳିଲା ବିଡ଼ାବିଡ଼ା ଟଙ୍କା
କେନ୍ଦ୍ରାପଡ଼ା: ଲାଞ୍ଚ ଅଭିଯୋଗରେ କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଠିକାଦାରଙ୍କ ବକେୟା ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ଆଦାୟ କରୁଥିବା ନେଇ ଭିଜିଲାନ୍ସକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ଏକ ସ୍ୱତନ୍ତ୍ର ଟିମ୍ ଅନୁପମା ସାହୁଙ୍କ ଗତିବିଧି ଉପରେ ନଜର ରଖିଥିଲା।
ଭିଜିଲାନ୍ସ ସୂଚନା ଅନୁସାରେ, ସେ ନିଜ କାର୍ଯ୍ୟାଳୟରୁ କେନ୍ଦ୍ରାପଡ଼ା ନୟନବିହାରସ୍ଥିତ ଆବାସକୁ ଅଫିସ୍ ଗାଡ଼ିରେ ଯାଉଥିବାବେଳେ ମାର୍ଶାଘାଇ ଛକ ନିକଟ ଜାତୀୟ ରାଜପଥ-୫୩(ଏ)ରେ ତାଙ୍କୁ ଅଟକାଯାଇଥିଲା। ଗାଡ଼ି ଯାଞ୍ଚ ସମୟରେ ନଗଦ ୩ ଲକ୍ଷ ୧୫ ହଜାର ଟଙ୍କା ମିଳିଥିଲା। ଏତେ ପରିମାଣର ନଗଦ ଟଙ୍କାର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ଭିଜିଲାନ୍ସ ଟଙ୍କା ସହ ଗାଡ଼ିଟିକୁ ଜବତ କରିଥିଲା। ପରେ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ତଲାସି କରାଯାଇଥିଲା।
ତଦନ୍ତ ସମୟରେ ମୋଟ ୭ ଲକ୍ଷ ୧୫ ହଜାର ଟଙ୍କା ନଗଦ ଜବତ ହୋଇଥିବା ସୂଚନା ମିଳିଛି। ଭିଜିଲାନ୍ସ ତଦନ୍ତରେ ଭୁବନେଶ୍ୱରରେ ଏକ ଫ୍ଲାଟ୍, ପ୍ରାୟ ୬୩ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ଢେଙ୍କାନାଳରେ ଏକ ସିମେଣ୍ଟ ଓ ରଡ୍ ଗୋଦାମ, ବଲାଙ୍ଗୀରରେ ଏକ ଦୋକାନ ଏବଂ ୫ଟି ମୂଲ୍ୟବାନ ପ୍ଲଟ୍ ଥିବା ନେଇ ସୂଚନା ସାମ୍ନାକୁ ଆସିଛି। ୨୦୦୩ ମସିହାରେ ସରକାରୀ ଚାକିରିରେ ଯୋଗ ଦେଇଥିବା ଅନୁପମା ସାହୁ ନିଜ କାର୍ଯ୍ୟକାଳରେ ୩ଟି ଜିଲ୍ଲାରେ କାର୍ଯ୍ୟ କରିଛନ୍ତି। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

