Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

BAPS Temple: ପ୍ୟାରିସରେ ଉଦ୍‌ଘାଟିତ ହେଲା ହିନ୍ଦୁ ମନ୍ଦିର, ‘Made in India’ ଓ ‘Built in France’ର ଉତ୍କୃଷ୍ଟ ଉଦାହରଣ କହିଲେ PM ମୋଦୀ

ନୂଆଦିଲ୍ଲୀ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଉଦ୍‌ଘାଟିତ ହୋଇଛି ବିଏପିଏସ ସ୍ୱାମୀନାରାୟଣ ମନ୍ଦିର। ଏହି ଐତିହାସିକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ। ମନ୍ଦିରକୁ ଭାରତ ଓ ଫ୍ରାନ୍ସ ମଧ୍ୟରେ ସାଂସ୍କୃତିକ ସମ୍ପର୍କର ଏକ ନୂଆ ଅଧ୍ୟାୟର ସ୍ତମ୍ଭ ବୋଲି ବର୍ଣ୍ଣନା କରି PM ମୋଦୀ କହିଛନ୍ତି, ଏହା କେବଳ ଆସ୍ଥାର କେନ୍ଦ୍ର ନୁହେଁ, ବରଂ ଉଭୟ ଦେଶର ସହଭାଗୀ ସାଂସ୍କୃତିକ ମୂଲ୍ୟବୋଧ, ସହଯୋଗ ଓ ‘ବସୁଧୈବ କୁଟୁମ୍ବକମ୍‌’ ଭାବନାର ପ୍ରତୀକ।

ଉଦ୍‌ଘାଟନୀ ସମାରୋହକୁ ଭର୍ଚୁଆଲ୍‌ ଭାବେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପୂଜ୍ୟ ମହନ୍ତ ସ୍ୱାମୀ, ସନ୍ଥ ଓ BAPS ସ୍ୱାମୀନାରାୟଣ ସଂସ୍ଥାକୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ, ସ୍ୱାମୀ ମହାରାଜ ଭାରତର ପ୍ରାଚୀନ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଗୌରବକୁ ପୁନର୍ଜାଗ୍ରତ କରିବାର ଯେଉଁ ଅଭିଯାନ ଆରମ୍ଭ କରିଥିଲେ, ତାହାର ପ୍ରଭାବ ଏବେ ୟୁରୋପ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ୨୦୨୪ରେ ଆବୁଧାବିରେ ଭବ୍ୟ ମନ୍ଦିର ଉଦ୍‌ଘାଟନ ପରେ ପ୍ୟାରିସର ଏହି ମନ୍ଦିର ସେହି ସଂକଳ୍ପର ଆଉ ଏକ ପଦକ୍ଷେପ ବୋଲି ସେ କହିଥିଲେ। ଭାରତ ଓ ଫ୍ରାନ୍ସ ମଧ୍ୟରେ ପ୍ରଯୁକ୍ତି, କୃତ୍ରିମ ବୁଦ୍ଧିମତ୍ତା, ପ୍ରତିରକ୍ଷା, ମହାକାଶ ଓ ଜଳବାୟୁ କ୍ଷେତ୍ରରେ ସହଯୋଗ ବଢ଼ୁଥିବା କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ।

ପ୍ୟାରିସର ଏହି ମନ୍ଦିରକୁ ‘Made in India’ ଓ ‘Built in France’ର ଏକ ଉତ୍କୃଷ୍ଟ ଉଦାହରଣ ବୋଲି PM ମୋଦୀ କହିଛନ୍ତି। ମନ୍ଦିରର ଅନେକ ପଥର ଭାରତରେ ଖୋଦିତ ହୋଇଥିବା ବେଳେ ଫ୍ରାନ୍ସରେ ଆଧୁନିକ ଇଞ୍ଜିନିୟରିଂ ସହ ଏହାକୁ ମିଶାଇ ନିର୍ମାଣ କରାଯାଇଛି। ଏହି ମନ୍ଦିର ଫ୍ରାନ୍ସର ସାଂସ୍କୃତିକ ବିବିଧତାକୁ ଆହୁରି ସମୃଦ୍ଧ କରିବା ସହ ଭାରତ-ଫ୍ରାନ୍ସ ସମ୍ପର୍କକୁ ନୂଆ ଶକ୍ତି ଦେବ ବୋଲି ସେ କହିଥିଲେ। ମନ୍ଦିରଟି ଭକ୍ତି ସହ ସେବା କାର୍ଯ୍ୟର ମଧ୍ୟ ଏକ ପ୍ରମୁଖ କେନ୍ଦ୍ର ହେବ ଏବଂ ଏଠାରୁ ଭାରତୀୟ ସଂସ୍କୃତିର ବାର୍ତ୍ତା ସମଗ୍ର ୟୁରୋପରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories