India-Russia Oil: ‘ରୁଷଠାରୁ ତେଲ କିଣୁଛି ଭାରତ, ଯୁଦ୍ଧ ପାଇଁ ନୁହେଁ ନିଜ ଦେଶର ଆବଶ୍ୟକତା ପାଇଁ’: ରୁଷ ରାଷ୍ଟ୍ରଦୂତ
ନୂଆଦିଲ୍ଲୀ: ଭାରତ ରୁଷଠାରୁ ଅଶୋଧିତ ତେଲ କିଣୁଛି ରୁଷକୁ ସହାୟତା କରିବା କିମ୍ବା ୟୁକ୍ରେନ୍ ଯୁଦ୍ଧ ପାଇଁ ଅର୍ଥ ଯୋଗାଇବା ଉଦ୍ଦେଶ୍ୟରେ ନୁହେଁ, ବରଂ ନିଜର ଶକ୍ତି ଆବଶ୍ୟକତା ଓ ଜାତୀୟ ବିକାଶକୁ ଦୃଷ୍ଟିରେ ରଖି ବୋଲି କହିଛନ୍ତି ଭାରତରେ ରୁଷର ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ୍। DD Newsକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ଭାରତ ନିଜ ଲୋକଙ୍କ କଲ୍ୟାଣ ଓ ଦେଶର ବିକାଶକୁ ଗୁରୁତ୍ୱ ଦେଇ ରୁଷରୁ ତେଲ କିଣୁଛି।
ଆଲିପୋଭ୍ଙ୍କ ଏହି ବୟାନ ଏଭଳି ସମୟରେ ଆସିଛି, ଯେତେବେଳେ ରୁଷର ତେଲ ଆମଦାନୀ ଜାରି ରଖିଥିବା ଦେଶଗୁଡ଼ିକ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକର ଚାପ ବଢ଼ୁଛି। ଆମେରିକା ପକ୍ଷରୁ ରୁଷର ତେଲ କିଣୁଥିବା ବଡ଼ ଆମଦାନୀକାରୀ ଦେଶଗୁଡ଼ିକ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବା ନେଇ ମଧ୍ୟ ଆଲୋଚନା ଚାଲିଛି। ରୁଷ ରାଷ୍ଟ୍ରଦୂତ ପାଶ୍ଚାତ୍ୟ ଦେଶଗୁଡ଼ିକର ଏଭଳି ପଦକ୍ଷେପକୁ ‘ଚାପ ପକାଇବାର କୌଶଳ’ ବୋଲି ସମାଲୋଚନା କରିଛନ୍ତି।
ଅନ୍ୟପକ୍ଷରେ, ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ କହିଛନ୍ତି ଯେ ଭାରତ ରୁଷରୁ ତେଲ କିଣୁଛି କି ନାହିଁ, ତାହାଦ୍ୱାରା ରୁଷ-ୟୁକ୍ରେନ୍ ଯୁଦ୍ଧର ସମାଧାନ ହେବ ନାହିଁ। ତାଙ୍କ ମତରେ ଏହି ସଂଘର୍ଷର ସମାଧାନ ଆଲୋଚନା, କୂଟନୀତି ଓ ବୁଝାମଣା ମାଧ୍ୟମରେ ହିଁ ସମ୍ଭବ। ଅଗଷ୍ଟରେ ରୁଷ ଭାରତର ସବୁଠାରୁ ବଡ଼ ଅଶୋଧିତ ତେଲ ଯୋଗାଣକାରୀ ରହିଥିଲା, ଯଦିଓ ଜୁନ୍ ଓ ଜୁଲାଇ ତୁଳନାରେ ଆମଦାନୀ କମିଥିଲା।

