Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Amritsar Airport: ଏୟାରପୋର୍ଟ ନିକଟରେ ଦେଖାଗଲା ସନ୍ଦିଗ୍ଧ ଡ୍ରୋନ୍‌, ୭ ବିମାନ ଡାଇଭର୍ଟ; ହାଇଆଲର୍ଟରେ ସୁରକ୍ଷା ଏଜେନ୍ସି

ପଞ୍ଜାବ: ପଞ୍ଜାବର ଅମୃତସରସ୍ଥିତ ଶ୍ରୀ ଗୁରୁ ରାମଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ରବିବାର ବିଳମ୍ବିତ ରାତିରେ ସନ୍ଦିଗ୍ଧ ଡ୍ରୋନ୍‌ ଭଳି ଉଡ଼ୁଥିବା କିଛି ବସ୍ତୁ ଦେଖାଯିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ରାତି ପ୍ରାୟ ୧୦ଟା ସମୟରେ ରନୱେ ନିକଟରେ ୨ରୁ ୪ଟି ସନ୍ଦିଗ୍ଧ ଉଡ଼ନ୍ତା ବସ୍ତୁ ଦେଖାଯାଇଥିବା ସୂଚନା ମିଳିବା ପରେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ପକ୍ଷରୁ ଆଲର୍ଟ ଜାରି କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଅମୃତସର ଆସୁଥିବା ୭ଟି ବିମାନକୁ ଦିଲ୍ଲୀ ଓ ଚଣ୍ଡିଗଡ଼ ଡାଇଭର୍ଟ କରାଯାଇଥିଲା।

ପ୍ରାଥମିକ ସୂଚନା ଅନୁସାରେ, ଏହି ସନ୍ଦିଗ୍ଧ ଉଡ଼ନ୍ତା ବସ୍ତୁଗୁଡ଼ିକ ରୁଡ଼ାଲା ଗାଁ ଦିଗରୁ ଏୟାରପୋର୍ଟ ଆଡ଼କୁ ଆସୁଥିବା ଦେଖାଯାଇଥିଲା। କିଛି ସମୟ ପର୍ଯ୍ୟନ୍ତ ଏଗୁଡ଼ିକ ରନୱେ ଓ ଆଖପାଖର ସମ୍ବେଦନଶୀଳ ଅଞ୍ଚଳ ଉପରେ ଘୂରିବୁଲୁଥିବା ଜଣାପଡ଼ିଛି। ଅମୃତସର ଏକ ସୀମାନ୍ତ ଜିଲ୍ଲା ହୋଇଥିବାରୁ ଏୟାରପୋର୍ଟ ନିକଟରେ ଏଭଳି ସନ୍ଦିଗ୍ଧ ଗତିବିଧିକୁ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱର ସହ ନିଆଯାଇଛି। ଘଟଣା ପରେ CISF, ପଞ୍ଜାବ ପୁଲିସ ଓ ଅନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରାଯାଇଥିଲା।

ତେବେ ଆକାଶରେ ଦେଖାଯାଇଥିବା ଏହି ବସ୍ତୁଗୁଡ଼ିକ ପ୍ରକୃତରେ ଡ୍ରୋନ୍‌ ଥିଲା କି ଅନ୍ୟ କୌଣସି ଉଡ଼ନ୍ତା ବସ୍ତୁ, ତାହା ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟତା ଆସିନାହିଁ। ସୁରକ୍ଷା ଏଜେନ୍ସିଗୁଡ଼ିକ ଘଟଣାର ଯାଞ୍ଚ କରୁଛନ୍ତି। ତେବେ ପରବର୍ତ୍ତୀ ଏକ ରିପୋର୍ଟରେ ଏହା ଏକ ଖେଳ ପ୍ରତିଯୋଗିତାର ଭିଡିଓଗ୍ରାଫି ପାଇଁ ଉଡ଼ାଯାଇଥିବା ଡ୍ରୋନ୍‌ ହୋଇପାରେ ବୋଲି ପୁଲିସ ତଦନ୍ତରୁ ସୂଚନା ମିଳିଥିବା ଦାବି କରାଯାଇଛି। ଏହାର ଉଦ୍ଦେଶ୍ୟ କୌଣସି ସନ୍ଦିଗ୍ଧ କିମ୍ବା ବେଆଇନ କାର୍ଯ୍ୟକଳାପ ନଥିବା କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories