Oracle Layoffs: ଟେକ୍ ସେକ୍ଟରରେ ହୋଇପାରେ ବଡ ଛଟେଇ! ଭାରତରେ ୩,୦୦୦ ଚାକିରି ଉପରେ ସଙ୍କଟ, AI ଓ ଡାଟା ସେଣ୍ଟର ପାଇଁ ବଢ଼ୁଛି ନିବେଶ
ନୂଆଦିଲ୍ଲୀ: ଟେକ୍ନୋଲୋଜି କ୍ଷେତ୍ରରେ ଛଟେଇକୁ ନେଇ ପୁଣିଥରେ ଚିନ୍ତା ପୁଣି ବଢ଼ିଛି। ରିପୋର୍ଟ ଅନୁସାରେ, ଓରାକଲ୍ ଭାରତରେ ପ୍ରାୟ ୩,୦୦୦ କର୍ମଚାରୀଙ୍କ ଚାକିରି କମାଇବାକୁ ପ୍ରସ୍ତୁତ ହେଉଛି। କମ୍ପାନୀ ବିଶ୍ୱସ୍ତରରେ ନିଜ ଖର୍ଚ୍ଚ ଓ କର୍ମଚାରୀ ବଜେଟ୍ର ପୁନର୍ବିନ୍ୟାସ କରୁଥିବା ବେଳେ ଏହି ସମ୍ଭାବ୍ୟ ଛଟେଇ ନେଇ ଚର୍ଚ୍ଚା ଜୋର ଧରିଛି। ଏପଟେ ଓରାକଲ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଓ ଡାଟା ସେଣ୍ଟର ଭିତ୍ତିଭୂମିରେ ବଡ଼ ଧରଣର ନିବେଶ କରୁଛି।
ପୂର୍ବ ଆର୍ଥିକ ବର୍ଷରେ ଓରାକଲ୍ର ବିଶ୍ୱସ୍ତରୀୟ କର୍ମଚାରୀ ସଂଖ୍ୟା ପ୍ରାୟ ୧.୬୨ ଲକ୍ଷରୁ ୧.୪୧ ଲକ୍ଷକୁ ହ୍ରାସ ପାଇଥିଲା। ଅର୍ଥାତ୍ ପ୍ରାୟ ୨୧,୦୦୦ କର୍ମଚାରୀ କମିଥିବା ବେଳେ ଏହା ମୋଟ କର୍ମଚାରୀ ସଂଖ୍ୟାର ପ୍ରାୟ ୧୩ ପ୍ରତିଶତ। ଏହି ସମୟରେ କମ୍ପାନୀ ନିଜ ଏଆଇ ଭିତ୍ତିଭୂମି ଓ ଡାଟା ସେଣ୍ଟର ବିସ୍ତାର ଉପରେ ଗୁରୁତ୍ୱ ବଢ଼ାଇଛି। ରିପୋର୍ଟ ଅନୁସାରେ, ଓରାକଲ୍ର ବିଶାଳ ପୁଞ୍ଜି ବ୍ୟୟ ମଧ୍ୟ ଏହି ଦିଗକୁ ଯାଉଛି।
ଓରାକଲ୍ ବ୍ୟତୀତ ଭାରତର ଟେକ୍ ସେକ୍ଟରରେ ମଧ୍ୟ କର୍ମଚାରୀ ପୁନର୍ଗଠନ ନେଇ ଚର୍ଚ୍ଚା ଚାଲିଛି। ମାଇକ୍ରୋସଫ୍ଟ ପ୍ରାୟ ୪୦୦ରୁ ୫୦୦ ଭାରତୀୟ କର୍ମଚାରୀଙ୍କୁ Performance Improvement Plan (PIP)ରେ ରଖିଥିବା ରିପୋର୍ଟ ଆସିଛି; ତେବେ PIPରେ ରଖିବାକୁ ସିଧାସଳଖ ଛଟେଇ ବୋଲି ଧରାଯାଇପାରିବ ନାହିଁ। ଏହି ପରିବର୍ତ୍ତନ ଦେଖାଉଛି ଯେ AI, କ୍ଲାଉଡ୍, ଅଟୋମେସନ୍ ଓ ଅନ୍ୟ ନୂଆ ପ୍ରଯୁକ୍ତିକୁ କମ୍ପାନୀଗୁଡ଼ିକ ଅଧିକ ପ୍ରାଥମିକତା ଦେଉଛନ୍ତି। ଫଳରେ ଟେକ୍ କର୍ମଚାରୀଙ୍କ ପାଇଁ ନୂଆ ଦକ୍ଷତା ହାସଲ କରିବା ଓ ନିଜ ସ୍କିଲ୍କୁ ଅପଡେଟ୍ ରଖିବା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

