Telangana Assembly: କଳା ଟି-ସାର୍ଟ ପିନ୍ଧି ବିଧାନସଭାରେ ପହଞ୍ଚିଲେ କେଟିଆର, ଏଣ୍ଟ୍ରି ରୋକିବା ପରେ ହେପାଜତକୁ ନେଲା ପୁଲିସ
ତେଲେଙ୍ଗାନା: ତେଲେଙ୍ଗାନା ବିଧାନସଭା ମୌସୁମୀ ଅଧିବେଶନର ଆରମ୍ଭ ଦିନରେ ହିଁ ଶାସକ କଂଗ୍ରେସ ଓ ବିରୋଧୀ BRS ମଧ୍ୟରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। BRS କାର୍ଯ୍ୟକାରୀ ସଭାପତି କେ.ଟି. ରାମା ରାଓ (KTR), ପୂର୍ବତନ ମନ୍ତ୍ରୀ ଟି. ହରିଶ ରାଓଙ୍କ ସମେତ ଦଳର ଅନେକ ବିଧାୟକ କଳା ଟି-ସାର୍ଟ ପିନ୍ଧି ବିଧାନସଭାରେ ପହଞ୍ଚିଥିଲେ। ଟି-ସାର୍ଟରେ କଂଗ୍ରେସ ସରକାରର ୧,୦୦୦ ଦିନର ଶାସନକୁ ନେଇ ବିରୋଧୀ ସ୍ଲୋଗାନ ଲେଖାଯାଇଥିଲା। ପୁଲିସ ସେମାନଙ୍କୁ ଗେଟ୍ ନିକଟରେ ଅଟକାଇ ଦେବା ପରେ ବିଧାନସଭା ବାହାରେ ଧସ୍ତାଧସ୍ତି ଓ ଉତ୍ତେଜନା ସୃଷ୍ଟି ହୋଇଥିଲା।
ପୁଲିସର ରୋକ୍ ପରେ KTR, ହରିଶ ରାଓ ଓ ଅନ୍ୟ BRS ନେତାମାନେ ପ୍ରତିବାଦ ଜାରି ରଖିଥିଲେ। ପରେ ପୁଲିସ ସେମାନଙ୍କୁ ଅଟକ ରଖି ପ୍ରଥମେ ସ୍ଥାନୀୟ ପୁଲିସ ଷ୍ଟେସନ୍ ଏବଂ ପରେ ତେଲେଙ୍ଗାନା ଭବନକୁ ନେଇଥିବା ରିପୋର୍ଟ ଆସିଛି। ତେବେ ସାଧାରଣ ପୋଷାକରେ ଆସିଥିବା BRS ସଦସ୍ୟମାନଙ୍କୁ ବିଧାନସଭା ଭିତରକୁ ପ୍ରବେଶ ଅନୁମତି ମିଳିଥିଲା। ଏହି ଘଟଣାରେ KTR, ଜି. ଜଗଦୀଶ ରେଡ୍ଡୀ ଓ ଭି. ସୁନିତା ଲକ୍ଷ୍ମା ରେଡ୍ଡୀଙ୍କ ସମେତ କିଛି ନେତା ସାମାନ୍ୟ ଆହତ ହୋଇଥିବା BRS ପକ୍ଷରୁ ଅଭିଯୋଗ କରାଯାଇଛି। ମହିଳା ବିଧାୟକଙ୍କ ସହ ପୁଲିସ ଦୁର୍ବ୍ୟବହାର କରିଥିବା ନେଇ ମଧ୍ୟ ଦଳ ଅଭିଯୋଗ ଆଣିଛି।
ଅନ୍ୟପକ୍ଷରେ, କଂଗ୍ରେସ ସରକାରର ୧,୦୦୦ ଦିନର ଶାସନକୁ ନେଇ KTR ତୀବ୍ର ଆକ୍ରମଣ କରିଛନ୍ତି। କଂଗ୍ରେସ ୪୨୦ଟି ପ୍ରତିଶ୍ରୁତି ଦେଇ ମାତ୍ର ୧୦୦ ଦିନରେ ସେଗୁଡ଼ିକ ପୂରଣ କରିବାର ଆଶ୍ୱାସନ ଦେଇଥିଲା, କିନ୍ତୁ ୧,୦୦୦ ଦିନ ପରେ ମଧ୍ୟ ଅନେକ ପ୍ରତିଶ୍ରୁତି ପୂରଣ ହୋଇନଥିବା ସେ ଅଭିଯୋଗ କରିଛନ୍ତି। କଳା ଟି-ସାର୍ଟ ପିନ୍ଧି ବିରୋଧ ପ୍ରଦର୍ଶନ କରିବାକୁ ରୋକାଯିବା ନେଇ ମଧ୍ୟ BRS ନେତାମାନେ ପ୍ରଶ୍ନ ଉଠାଇଛନ୍ତି।

