Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Air India Express: ୩୬ ହଜାର ଫୁଟ୍‌ରେ କମିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଇଞ୍ଜିନ୍‌ ଅଏଲ୍‌, ମଝି ଆକାଶରୁ କୋଚି ଫେରିଲା ବିମାନ

ନୂଆଦିଲ୍ଲୀ: କୋଚିନ୍‌ରୁ ଅବୁଧାବି ଯାଉଥିବା Air India Expressର Boeing 737 ବିମାନ IX 415କୁ ମଝି ଆକାଶରୁ ପୁଣି କୋଚି ଫେରିବାକୁ ପଡ଼ିଛି। ଉଡ଼ାଣର ପ୍ରାୟ ୫୦ ମିନିଟ୍‌ ପରେ ୩୬ ହଜାର ଫୁଟ୍‌ ଉଚ୍ଚତାରେ ଥିବାବେଳେ ପାଇଲଟ୍‌ ଓ କୋ-ପାଇଲଟ୍‌ ଇଞ୍ଜିନ୍‌-୧ର ଅଏଲ୍‌ ପରିମାଣ ଦ୍ରୁତଗତିରେ କମୁଥିବା ଜାଣିବାକୁ ପାଇଥିଲେ। ପରିସ୍ଥିତିର ଆକଳନ କରିବା ପରେ ଅଏଲ୍‌ ପରିମାଣ କମିବା ଜାରି ରହିଥିବାରୁ ଅବୁଧାବି ଯାତ୍ରା ବାତିଲ କରି କୋଚି ଫେରିବାକୁ କ୍ରୁ ନିଷ୍ପତ୍ତି ନେଇଥିଲେ।

ବିମାନଟି ଫେରୁଥିବା ସମୟରେ ଇଞ୍ଜିନ୍‌-୧ର ଅଏଲ୍‌ ପ୍ରେସର୍‌ରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଦେଇଥିଲା ଏବଂ ଏହା କକ୍‌ପିଟ୍‌ ଗେଜ୍‌ର ରେଡ୍‌ ଜୋନ୍‌ରେ ପହଞ୍ଚିଥିଲା। ଏହାପରେ ପାଇଲଟ୍‌ମାନେ Non-Normal Checklist ଅନୁସରଣ କରି ଇଞ୍ଜିନ୍‌-୧କୁ ବନ୍ଦ କରିଦେଇଥିଲେ। ଏକ ଇଞ୍ଜିନ୍‌ରେ ବିମାନ ଉଡ଼ାଇ ସୁରକ୍ଷିତ ଭାବେ ଅବତରଣ କରାଇବା ଏକ ଜଟିଳ ପ୍ରକ୍ରିୟା ହୋଇଥିବା ବେଳେ କ୍ରୁଙ୍କ ତତ୍ପରତାରେ ବିମାନଟି କୋଚିନ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲା। ଘଟଣାରେ କୌଣସି ଅଘଟଣ ଘଟିନଥିବା ରିପୋର୍ଟରୁ ଜଣାପଡ଼ିଛି।

ଏହି ଘଟଣା ପରେ ବିମାନର ଇଞ୍ଜିନ୍‌ରେ ଦେଖାଦେଇଥିବା ତ୍ରୁଟିର କାରଣ ନେଇ ଯାଞ୍ଚ ଆରମ୍ଭ ହେବା ଆଶା କରାଯାଉଛି। ସମ୍ପ୍ରତି ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ବିଭିନ୍ନ ପ୍ରାଯୁକ୍ତିକ ସମସ୍ୟା ଯୋଗୁଁ ବିମାନ ଫେରାଇ ଆଣିବା ଘଟଣା ଚର୍ଚ୍ଚାରେ ରହିଛି। ଏହି ଘଟଣାର କିଛି ଦିନ ପୂର୍ବରୁ Air Indiaର ଫୁକେଟ୍‌-ଦିଲ୍ଲୀ ବିମାନ ସମ୍ପର୍କିତ ପ୍ରାଥମିକ ତଦନ୍ତ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା। Air India Express ଏବଂ DGCA ପକ୍ଷରୁ ଏହି ଘଟଣା ନେଇ ଆଧିକାରିକ ବିବୃତ୍ତି ଆସିବା ବାକି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories