Bulldozer Action: ‘ଅପରାଧ ଛାଡ଼, ନହେଲେ ଏରିଆ ଛାଡ଼’; ଭୁବନେଶ୍ୱରରେ ପୋଲିସର କଡ଼ା ଆକ୍ସନ
ଭୁବନେଶ୍ୱର: ଭୁବନେଶ୍ୱରରେ ଅପରାଧୀଙ୍କ ବିରୋଧରେ କଡ଼ା ଆକ୍ସନ ନେଇଛି କମିଶନରେଟ୍ ପୋଲିସ। ଲିଙ୍ଗରାଜ ଥାନା ଅଧୀନ ଗ୍ୟାରେଜ ଛକ ନିକଟରେ ହତ୍ୟା ମାମଲାର ଅଭିଯୁକ୍ତଙ୍କ ଘରେ ବୁଲଡୋଜର ଚଲାଯାଇଛି। ପୋଲିସ ଉପସ୍ଥିତିରେ ଅଭିଯୁକ୍ତଙ୍କ ଘର ଭଙ୍ଗାଯାଇଥିବାରୁ ଅଞ୍ଚଳରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁସାରେ, କିଛିଦିନ ପୂର୍ବେ ଗ୍ୟାରେଜ ଛକ ନିକଟରେ ଜିତେନ୍ଦ୍ର କାଣ୍ଡିଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ଶୁଭମ ଦାସ ଓ ବାବୁନା ବେହେରାଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ଏବେ ଏହି ଘଟଣା ପରେ ଅଭିଯୁକ୍ତଙ୍କ ବାସସ୍ଥାନ ଉପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇ ବୁଲଡୋଜର ଚଲାଯାଇଛି।
ପାର୍ବଣ ପୂର୍ବରୁ ଲିଙ୍ଗରାଜ ଥାନା ପୋଲିସ ଅପରାଧୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଗତ କିଛିଦିନ ଧରି ‘ଅପରାଧ ଛାଡ଼, ନହେଲେ ଏରିଆ ଛାଡ଼’ ବୋଲି ଅପରାଧୀମାନଙ୍କୁ ଚେତାବନୀ ଦିଆଯାଇଥିଲା। ପୂର୍ବରୁ ଏକାଧିକ ସ୍ଥାନରେ ନୋଟିସ ମଧ୍ୟ ଲଗାଯାଇଥିଲା। ତେବେ ଚେତାବନୀ ସତ୍ତ୍ୱେ ଅପରାଧିକ କାର୍ଯ୍ୟକଳାପ ଜାରି ରହିଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା କୁହାଯାଉଛି। ତେବେ ଘର ଭଙ୍ଗା ନେଇ ସମ୍ପୃକ୍ତ ପ୍ରଶାସନିକ ଓ ଆଇନଗତ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ସୂଚନା ଆସିବା ବାକି ରହିଛି।

