Gold Imports: ସୁନା କମ୍ କିଣିବାନେଇ ମୋଦିଙ୍କ ଆହ୍ୱାନ ପରେ ହ୍ରାସ ପାଇଛି ସୁନା ଆମଦାନୀ, ଅଗଷ୍ଟରେ ପ୍ରାୟ ୩୦% ହ୍ରାସ
ନୂଆଦିଲ୍ଲୀ: ଭାରତରେ ସୁନା ଆମଦାନୀ କ୍ରମାଗତ ଭାବେ ହ୍ରାସ ପାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଦେଶବାସୀଙ୍କୁ ଅତ୍ୟଧିକ ସୁନା କିଣିବାରୁ ଦୂରେଇ ରହିବାକୁ ଆହ୍ୱାନ କରିଛନ୍ତି। ଦେଶର ସୁନା ଆମଦାନୀ ବିଲ୍ କମାଇବା ଏବଂ ବିଦେଶରୁ ସୁନା ଉପରେ ନିର୍ଭରଶୀଳତା ହ୍ରାସ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଉଛି।
ସୂଚନା ଅନୁସାରେ, ଗତ ମେ’ ମାସରେ ପ୍ରଧାନମନ୍ତ୍ରୀଙ୍କ ସମାନ ଆହ୍ୱାନ ପରେ ଦେଶରେ ସୁନା ଆମଦାନୀ ପ୍ରତି ମାସରେ କମିବାରେ ଲାଗିଛି। ମେ’ ମାସରେ ସୁନା ଆମଦାନୀ ପ୍ରାୟ ୪ ପ୍ରତିଶତ ହ୍ରାସ ପାଇଥିବାବେଳେ ଜୁନ୍ରେ ୨୦ ପ୍ରତିଶତ, ଜୁଲାଇରେ ୨୩.୭ ପ୍ରତିଶତ ଏବଂ ଅଗଷ୍ଟରେ ପ୍ରାୟ ୩୦ ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି।
ଅନ୍ୟପକ୍ଷରେ, ଭାରତୀୟ ପରିବାରମାନଙ୍କ ପାଖରେ ପ୍ରାୟ ୩୧ ହଜାର ଟନ୍ ସୁନା ଗଚ୍ଛିତ ଥିବା ଆକଳନ କରାଯାଇଛି। ଏହି ବିପୁଳ ପରିମାଣର ସୁନାର କିଛି ଅଂଶକୁ ଅର୍ଥନୀତିରେ ବ୍ୟବହାର ପାଇଁ ସଞ୍ଚାଳନକୁ ଆଣିବା ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଘରେ ଗଚ୍ଛିତ ସୁନାକୁ ଆର୍ଥିକ ବ୍ୟବସ୍ଥାରେ ସାମିଲ କରିପାରିଲେ ସୁନା ଆମଦାନୀ ଉପରେ ଦେଶର ନିର୍ଭରଶୀଳତା ଆହୁରି କମିପାରିବ।
ସୁନା ଆମଦାନୀରେ ଲଗାତାର ହ୍ରାସ ଦେଶର ବାଣିଜ୍ୟ ଘାଟତି ନିୟନ୍ତ୍ରଣରେ ମଧ୍ୟ ସହାୟକ ହୋଇପାରେ। ତେବେ ଆଗାମୀ ଦିନରେ ସରକାରଙ୍କ ଆହ୍ୱାନ ଏବଂ ନୀତିଗତ ପଦକ୍ଷେପ ସୁନାର ଚାହିଦା ଓ ଆମଦାନୀ ଉପରେ କେତେ ପ୍ରଭାବ ପକାଉଛି, ତାହା ଉପରେ ନଜର ରହିଛି।

