Aravalli Hills Case: ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ, କମିଟିର ସମୟ ବୃଦ୍ଧି ଆବେଦନ ଖାରଜ କଲେ CJI ସୂର୍ଯ୍ୟକାନ୍ତ
ନୂଆଦିଲ୍ଲୀ: ଆରାବଳୀ ପାହାଡ଼ର ସଂଜ୍ଞା, ସୀମା ନିର୍ଦ୍ଧାରଣ ଓ ସୁରକ୍ଷା ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟ ସୋମବାର ହାଇ ପାୱାର୍ଡ କମିଟିକୁ କଡ଼ା ସମୟସୀମା ଦେଇଛନ୍ତି। CJI ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ କମିଟିର ୨୦୨୭ ଫେବୃଆରୀ ୨୮ ପର୍ଯ୍ୟନ୍ତ ସମୟ ବଢ଼ାଇବା ଆବେଦନକୁ ଗ୍ରହଣ କରିନାହାନ୍ତି। ଏହା ବଦଳରେ ଆସନ୍ତା ୩୦ ନଭେମ୍ବର ୨୦୨୬ ସୁଦ୍ଧା ଅନ୍ତିମ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କମିଟିକୁ ଆବଶ୍ୟକ ହେଲେ “ଦିନରାତି କାମ” କରି ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଥିବା ବେଳେ ଆଉ ସମୟ ବୃଦ୍ଧି ଦିଆଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
କମିଟି ପକ୍ଷରୁ ଫେବୃଆରୀ ୨୮, ୨୦୨୭ ପର୍ଯ୍ୟନ୍ତ ସମୟ ମାଗିବା ଉପରେ CJI ସୂର୍ଯ୍ୟକାନ୍ତ ଅସନ୍ତୋଷ ପ୍ରକାଶ କରିଥିଲେ। ସେ ଏହି ଆବେଦନକୁ ନେଇ ପ୍ରଶ୍ନ ଉଠାଇ କହିଥିଲେ ଯେ, ଏହା ତାଙ୍କ ଅବସର ପରର ସମୟ ମାଗିବା ଭଳି ଲାଗୁଛି। କମିଟି କାମ କରିବାରେ ସକ୍ଷମ ନହେଲେ ନୂଆ କମିଟି ଗଠନ କରାଯିବ ବୋଲି ମଧ୍ୟ ଖଣ୍ଡପୀଠ ଚେତାବନୀ ଦେଇଛନ୍ତି। ଏହି କମିଟିକୁ ଆରାବଳୀ ପାହାଡ଼ ଓ ପର୍ବତମାଳାର ସଠିକ୍ ସଂଜ୍ଞା ନିରୂପଣ ସହ ପରିବେଶ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗର ବ୍ୟାପକ ଅଧ୍ୟୟନ ପାଇଁ ଗଠନ କରାଯାଇଛି।
ଏହାସହ କୋର୍ଟ କମିଟିକୁ ରାଜସ୍ଥାନ ଓ ଗୁଜରାଟର ଆଦିବାସୀ ସମ୍ପ୍ରଦାୟ ସମେତ ସମସ୍ତ ପ୍ରଭାବିତ ପକ୍ଷଙ୍କ ସହ ବ୍ୟାପକ ଆଲୋଚନା କରିବାକୁ କହିଛନ୍ତି। ଆବଶ୍ୟକ ହେଲେ ନିର୍ଦ୍ଦିଷ୍ଟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅନ୍ତରୀଣ ରିପୋର୍ଟ ମଧ୍ୟ ଦାଖଲ କରିପାରିବ କମିଟି, ଯାହା ଆଧାରରେ କୋର୍ଟ ଜରୁରୀ ପ୍ରଶ୍ନଗୁଡ଼ିକର ପୃଥକ ଭାବେ ବିଚାର କରିପାରିବେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨ ଡିସେମ୍ବର ୨୦୨୬ରେ ହେବ। CJI ସୂର୍ଯ୍ୟକାନ୍ତଙ୍କ ଅବସର ତାରିଖ ୯ ଫେବୃଆରୀ ୨୦୨୭ ଥିବାରୁ, କମିଟିକୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ ସମୟ ଦେବାକୁ କୋର୍ଟ ଅନୁମତି ଦେଇନାହାନ୍ତି।

