Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

BASEMENT COLLAPSE ଭୁବନେଶ୍ୱର Delta Squareରେ ନିର୍ମାଣାଧୀନ ଏକ ବିଲ୍ଡିଂର ବେସମେଣ୍ଟ ଧସିବା ଘଟଣା, ପ୍ରଥମେ ଉଚ୍ଚତାକୁ ନେଇ ପଜଲ୍‌, ଏବେ ଧସିଲା ବେସମେଣ୍ଟ

ଭୁବନେଶ୍ୱର ଡେଲ୍ଟା ସ୍କୋୟାରରେ ନିର୍ମାଣାଧୀନ ଏକ ବିଲ୍ଡିଂର ବେସମେଣ୍ଟ ଧସିବା ଘଟଣାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଯେଉଁ ବିଲ୍ଡିଂର ଉଚ୍ଚତାକୁ ନେଇ ଗତ କିଛିଦିନ ଧରି ବିବାଦ ଓ ଅସ୍ପଷ୍ଟତା ଚର୍ଚ୍ଚାରେ ରହିଥିଲା, ସେହି ବିଲ୍ଡିଂର ବେସମେଣ୍ଟ ଧସିବା ଘଟଣା ଏବେ ନୂଆ ପ୍ରଶ୍ନ ଛିଡ଼ା କରିଛି।

୨୦୧୯ରେ ଜାରି ହୋଇଥିବା NOCରେ କୋଠାର ସର୍ବୋଚ୍ଚ ଉଚ୍ଚତା ୮୭.୩୭ ମିଟର ରଖାଯାଇଥିଲା। କିନ୍ତୁ ୧୭ ଜୁଲାଇ ୨୦୨୬ରେ କରାଯାଇଥିବା Obstacle Limitation Surveyରେ କୋଠାର ପ୍ରକୃତ ଉଚ୍ଚତା ୯୮.୯୦୭ ମିଟର ରେକର୍ଡ ହୋଇଥିବା ଦାବି କରାଯାଇଛି। ଏହାପରେ ୧୮ ଅଗଷ୍ଟରେ BMC ଓ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମିଳିତ ଯାଞ୍ଚରେ ସର୍ବୋଚ୍ଚ ଟପ୍‌ ଏଲିଭେସନ୍‌ ୯୩.୬୮ ମିଟର ବୋଲି ରେକର୍ଡ ହୋଇଛି। ଅର୍ଥାତ୍‌ ଗୋଟିଏ କୋଠାର ଉଚ୍ଚତା ନେଇ ୮୭.୩୭, ୯୮.୯୦୭ ଓ ୯୩.୬୮ ମିଟର—ତିନିଟି ଭିନ୍ନ ଆକଳନ ସାମ୍ନାକୁ ଆସିଛି। ତେଣୁ ପ୍ରଶ୍ନ ଉଠୁଛି, ଏହା କେବଳ ‘ହାଇଟ୍‌’ର ମାମଲା ନା କୋଠାର ଫ୍ଲୋର୍‌ ସଂଖ୍ୟାକୁ ନେଇ ମଧ୍ୟ ଅସ୍ପଷ୍ଟତା ରହିଛି?

ଏହି ମାମଲା ଏବେ ଆଇନଗତ ଲଢ଼େଇ ମଧ୍ୟରେ ପହଞ୍ଚିଛି। BMC ପକ୍ଷରୁ ୫ ଅଗଷ୍ଟରେ ଜାରି ଶୋ’କଜ୍‌ ନୋଟିସକୁ ଚ୍ୟାଲେଞ୍ଜ କରି ବିଲ୍ଡର ପକ୍ଷରୁ ହାଇକୋର୍ଟରେ W.P.(C) No.25557/2026 ଦାଖଲ ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ BMC ଓ AAIର ମିଳିତ ଯାଞ୍ଚ ହୋଇଥିଲା ଏବଂ BMC କମିଶନରଙ୍କୁ ଆଇନ ଅନୁଯାୟୀ ନିଷ୍ପତ୍ତି ନେବାକୁ କୁହାଯାଇଥିଲା। ଏହାପରେ AAI ପକ୍ଷରୁ ଜାରି ହୋଇଥିବା ଏକ ଆଦେଶ ୨୭ ଅଗଷ୍ଟରେ ପ୍ରତ୍ୟାହାର କରାଯାଇଥିବା ଦର୍ଶାଇ ଅନ୍ୟ ଏକ ମାମଲା ପ୍ରତ୍ୟାହାର କରାଯାଇଥିଲା। ତୃତୀୟ ମାମଲା W.P.(C) No.27648/2026ରେ ୨୦୧୯ର NOCର ୮୭.୩୭ ମିଟର ଓ ୨୦୨୬ର ଯାଞ୍ଚର ୯୩.୬୮ ମିଟର ମଧ୍ୟରେ ୬.୩୧ ମିଟର ତଫାତ ଦର୍ଶାଯାଇଛି। ଏହି ମାମଲାରେ ବିଲ୍ଡରଙ୍କୁ ନିୟମ ଅନୁଯାୟୀ ଏରୋନଟିକାଲ୍‌ ଷ୍ଟଡି ପାଇଁ ଆବେଦନ କରିବାର ସୁଯୋଗ ମିଳିଛି।

ଉଚ୍ଚତାକୁ ନେଇ ବିବାଦ ପରେ ମାମଲା BMC, Airport Authority of India ଏବଂ ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏକାଧିକ ରିଟ୍‌ ପିଟିସନ୍‌ରେ କୋଠାର ଅନୁମୋଦିତ ଉଚ୍ଚତା ଓ ବାସ୍ତବ ଉଚ୍ଚତା ମଧ୍ୟରେ ଥିବା ତଫାତକୁ ନେଇ ମାମଲା ଉଠିଥିଲା। ଏବେ ସେହି ବିଲ୍ଡିଂର ବେସମେଣ୍ଟ ଧସିବା ପରେ ନିର୍ମାଣର ଗୁଣବତ୍ତା, ସୁରକ୍ଷା ମାନଦଣ୍ଡ ଓ ନିର୍ମାଣ ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରଶ୍ନ ଉଠିବା ସ୍ୱାଭାବିକ।

ପ୍ରଥମେ ପ୍ରଶ୍ନ ଥିଲା—ବିଲ୍ଡିଂର ଉଚ୍ଚତା ୮୭, ୯୩ ନା ୯୮ ମିଟର? ଏବେ ପ୍ରଶ୍ନ—ବେସମେଣ୍ଟ କାହିଁକି ଧସିଲା? ଉଚ୍ଚତା ବିବାଦର ‘ଇଣ୍ଟରପ୍ରିଟେସନ୍‌’ ଏବେ ବି ଅପେକ୍ଷାରେ ଥିବା ବେଳେ, ବେସମେଣ୍ଟ ଧସିବା ଘଟଣା ନିର୍ମାଣ ସୁରକ୍ଷାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ କରିଛି। BMC ଏହି ଘଟଣା ଓ ପୂର୍ବରୁ ଥିବା ଉଚ୍ଚତା ସମ୍ପର୍କିତ ବିବାଦକୁ ନେଇ କି ପଦକ୍ଷେପ ନେଉଛି, ତାହା ଏବେ ଗୁରୁତ୍ୱପୂର୍ଣ୍ଣ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories