Odisha Cabinet: ୧୨ ବିଭାଗର ୧୮ ପ୍ରସ୍ତାବକୁ ମଞ୍ଜୁରୀ, ବିଦ୍ୟୁତରୁ ଶିକ୍ଷା ଓ ନିଯୁକ୍ତି ପର୍ଯ୍ୟନ୍ତ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ରାଜ୍ୟ କ୍ୟାବିନେଟ୍ର ୪୭ତମ ବୈଠକରେ ୧୨ଟି ବିଭାଗର ୧୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିରେ ବିଦ୍ୟୁତ ଭିତ୍ତିଭୂମି ପାଇଁ ୧୫,୯୪୮.୭୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଅନ୍ୟତମ ରହିଛି | ଓଡ଼ିଶାରେ ପ୍ରଥମ ଥର ପାଇଁ ୭୬୫ କେଭି ବିଦ୍ୟୁତ ଟ୍ରାନ୍ସମିସନ୍ ନେଟୱାର୍କ ବିକଶିତ ହେବ ଏବଂ ଖୁଣ୍ଟୁଣୀ, ଡୁବୁରୀ ଓ କୋଲାବିରାରେ ତିନୋଟି ନୂଆ ଗ୍ରିଡ୍ ସବ୍ଷ୍ଟେସନ୍ ନିର୍ମାଣ ହେବ।
ଶ୍ରୀଜଗନ୍ନାଥ ମନ୍ଦିର ଜମିର ସ୍ୱଚ୍ଛ ଓ ଡିଜିଟାଲ ପରିଚାଳନା ପାଇଁ ‘ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନା ନିୟମ, ୨୦୨୬’କୁ ମଧ୍ୟ ଅନୁମୋଦନ ମିଳିଛି। ଏହାସହ ‘ପଞ୍ଚସଖା ଶିକ୍ଷା ସେତୁ ଯୋଜନା’ ପାଇଁ ପାଞ୍ଚ ବର୍ଷରେ ୩୧୨.୯୬ କୋଟି ଟଙ୍କା ଖର୍ଚ୍ଚର ବ୍ୟବସ୍ଥା କରାଯାଇଛି। ସରକାରୀ ସ୍କୁଲ ବିକାଶ ପାଇଁ ଦାତାଙ୍କ ଅବଦାନ ସହ ସରକାର ମ୍ୟାଚିଂ ଗ୍ରାଣ୍ଟ ଦେବେ। ଏହା ବ୍ୟତୀତ କୃଷି, ଜଳସେଚନ, ପାନୀୟଜଳ ଓ ରାସ୍ତା ଭିତ୍ତିଭୂମି ସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି।
ନିଯୁକ୍ତି କ୍ଷେତ୍ରରେ ମଧ୍ୟ କ୍ୟାବିନେଟ୍ ବଡ଼ ପଦକ୍ଷେପ ନେଇଛି। ପୋଲିସ, ଜେଲ, ଅବକାରୀ ଓ ଜଙ୍ଗଲ ଭଳି ୟୁନିଫର୍ମ ସେବାର ନିଯୁକ୍ତି ପାଇଁ Combined Recruitment Examination (CRE) କରିବା ଲାଗି ସମ୍ପୃକ୍ତ ନିୟମରେ ସଂଶୋଧନକୁ ଅନୁମୋଦନ ମିଳିଛି। ଏହାଛଡ଼ା ‘Odisha Jan Vishwas Bill, 2026’, କୃଷି ଓ ଉଦ୍ୟାନ କୃଷି ବିଭାଗର କ୍ୟାଡର ପୁନର୍ଗଠନ, ‘BOITA’ ଯୋଜନା ଏବଂ ସଂଶୋଧିତ ‘BASUDHA’ ଯୋଜନାକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି।

