Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha CM UAE Visit: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ UAE ଗସ୍ତ; ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଆବୁଧାବି ଓ ଦୁବାଇରେ ଶିଳ୍ପପତିଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର: ଓଡ଼ିଶାକୁ ବିଦେଶୀ ପୁଞ୍ଜି ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଗସ୍ତରେ ଯାଉଛନ୍ତି। ସେପ୍ଟେମ୍ବର ୯ରୁ ୧୧ ପର୍ଯ୍ୟନ୍ତ ତିନିଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ଆବୁଧାବି ଓ ଦୁବାଇରେ ବିଭିନ୍ନ ନିବେଶକ, ଶିଳ୍ପପତି, ସାର୍ବଭୌମ ନିବେଶ ପାଣ୍ଠି ଓ ବ୍ୟବସାୟିକ ପ୍ରତିନିଧିଙ୍କ ସହ ଆଲୋଚନା କରିବେ। ଓଡ଼ିଶାର ଶିଳ୍ପ କ୍ଷମତା, ନିବେଶ ପାଇଁ ପ୍ରସ୍ତୁତ ପରିବେଶ ଏବଂ ଉଦୀୟମାନ କ୍ଷେତ୍ରଗୁଡ଼ିକୁ ଉପସ୍ଥାପନ କରି UAEରୁ ପୁଞ୍ଜି ଆକର୍ଷଣ ଏହି ଗସ୍ତର ମୁଖ୍ୟ ଲକ୍ଷ୍ୟ।

ଆବୁଧାବିରେ ମୁଖ୍ୟମନ୍ତ୍ରୀ International Holding Company (IHC) ସମେତ ବିଭିନ୍ନ ନିବେଶ ପ୍ରତିଷ୍ଠାନ ଓ ସାର୍ବଭୌମ ନିବେଶ ପାଣ୍ଠିର ପ୍ରତିନିଧିଙ୍କ ସହ ରାଉଣ୍ଡଟେବୁଲ୍‌ ବୈଠକ କରିବେ। ଏହାସହ UAEର ନିବେଶ ମନ୍ତ୍ରୀ ମହମ୍ମଦ ହାସନ୍‌ ଅଲସୁୱାଇଦିଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ଦୁବାଇରେ ଶିଳ୍ପପତି ଓ ସମ୍ଭାବ୍ୟ ନିବେଶକଙ୍କ ସହ ବ୍ୟକ୍ତିଗତ ବୈଠକ କରିବେ। ଖଣି ଓ ଧାତୁ, ରସାୟନ ଓ ପେଟ୍ରୋକେମିକାଲ୍‌, ବନ୍ଦରଭିତ୍ତିକ ଲଜିଷ୍ଟିକ୍ସ, ଡାଟା ସେଣ୍ଟର ଓ ନିବେଶ ପାଣ୍ଠି ଭଳି କ୍ଷେତ୍ରରେ ଓଡ଼ିଶାର ସମ୍ଭାବନାକୁ ନେଇ ଆଲୋଚନା ହେବ।

ସେପ୍ଟେମ୍ବର ୧୧ରେ ଦୁବାଇରେ Odisha Investors’ Meetରେ ମୁଖ୍ୟମନ୍ତ୍ରୀ ଉଦ୍ୟୋଗପତି ଓ ନିବେଶକଙ୍କୁ ଭେଟି ରାଜ୍ୟରେ ପୁଞ୍ଜି ନିବେଶର ସୁଯୋଗ ସମ୍ପର୍କରେ ଆଲୋଚନା କରିବେ। ଏହାସହ ପ୍ରବାସୀ ଓଡ଼ିଆ ଓ UAEରେ କାର୍ଯ୍ୟରତ ଭାରତୀୟ ବ୍ୟବସାୟିକ ସମୁଦାୟ ସହ ମଧ୍ୟ ମତବିନିମୟ କରିବେ। ଏହି ଗସ୍ତ ମାଧ୍ୟମରେ ଓଡ଼ିଶା ଓ UAE ମଧ୍ୟରେ ବାଣିଜ୍ୟ, ନିବେଶ ଓ ଶିଳ୍ପ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ସହ ରାଜ୍ୟରେ ରପ୍ତାନିଭିତ୍ତିକ ଶିଳ୍ପ ବିକାଶକୁ ଗତି ଦେବା ଉପରେ ଗୁରୁତ୍ୱ ରହିବ। ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୧୨ରେ ଭୁବନେଶ୍ୱର ଫେରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories