Bhubaneswar Building Collapse: ଦିଲ୍ଲୀ ପରେ ଭୁବନେଶ୍ୱରରେ ଦବିଲା ନିର୍ମାଣାଧୀନ କୋଠା, ଡେଲ୍ଟା ଛକରେ ଆତଙ୍କ
ଭୁବନେଶ୍ୱର: ଦିଲ୍ଲୀର ସତ୍ୟ ନିକେତନରେ ବହୁତଳ କୋଠା ଭୁଶୁଡ଼ିବା ଘଟଣା ପରେ ଭୁବନେଶ୍ୱରରେ ମଧ୍ୟ ଏକ କୋଠାର ଅଂଶ ଦବିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଭୁବନେଶ୍ୱରର ଡେଲ୍ଟା ଛକ ନିକଟରେ LUXIRIO ASSETS PRIVATE LIMITED ତିଆରି କରିଥିବା ନିର୍ମାଣାଧୀନ କୋଠାର ଷ୍ଟିଲ୍ ଢାଞ୍ଚାର କିଛି ଅଂଶ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ପ୍ରାୟ ୩୦ ରୁ ୪୦ ଫୁଟ ପର୍ଯ୍ୟନ୍ତ ବେଶମେଣ୍ଟ ଟି ଧସେଇ ଯାଇଛି ବୋଲି ସୂଚନା ମିଳିଛି | ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
ସୂଚନା ଅନୁସାରେ, ନିର୍ମାଣାଧୀନ ସ୍ଥାନରେ ଷ୍ଟିଲ୍ ପିଲର, କଂକ୍ରିଟ୍ ସ୍ଲାବ୍ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ତଳକୁ ଖସିପଡ଼ିଥିଲା। ଘଟଣାରେ କିଛି ଶ୍ରମିକ ଚାପି ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି | କିନ୍ତୁ ଘଟଣାର ପ୍ରକୃତ କାରଣ ଏବଂ କ୍ଷୟକ୍ଷତି ସମ୍ପର୍କରେଇ ଏ ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ନାହିଁ | ତେବେ ଏହି ଘଟଣା ପରେ ନିର୍ମାଣ କାର୍ଯ୍ୟରେ ସୁରକ୍ଷା ନିୟମ ଠିକ୍ ଭାବେ ପାଳନ ହେଉଥିଲା କି ନାହିଁ, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଅନ୍ୟପଟେ, ଦିଲ୍ଲୀର କୋଠା ଭୁଶୁଡ଼ିବା ଭଳି ଘଟଣା ପରେ ଓଡ଼ିଶା ସରକାର ଦୁର୍ବଳ ଓ ଅସୁରକ୍ଷିତ କୋଠାଗୁଡ଼ିକ ଚିହ୍ନଟ କରିବାକୁ ତତ୍ପରତା ଦେଖାଇଛନ୍ତି। ସରକାରୀ ଓ ବେସରକାରୀ ଅସୁରକ୍ଷିତ କୋଠାଗୁଡ଼ିକର ସ୍ଥିତି ଯାଞ୍ଚ କରାଯାଇ ଜନସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। ଏପରି ସ୍ଥିତିରେ ଡେଲ୍ଟା ଛକର ଏହି ଘଟଣା ପୁଣିଥରେ ସହରରେ ନିର୍ମାଣ ସୁରକ୍ଷା ଓ କୋଠାର ଗଠନାତ୍ମକ ସ୍ଥିରତାକୁ ନେଇ ଚିନ୍ତା ବଢ଼ାଇଛି।

