Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Jagannath Land Settlement: ଶ୍ରୀଜଗନ୍ନାଥଙ୍କ ଜମି ସେଟେଲମେଣ୍ଟ ପାଇଁ ନୂଆ ନିୟମ, କେତେ ଟଙ୍କା ଦେବେ ଜାଣନ୍ତୁ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଜମି ସେଟେଲମେଣ୍ଟ ପାଇଁ ରାଜ୍ୟ ସରକାର ନୂଆ ବ୍ୟବସ୍ଥା ଆଣିଛନ୍ତି। ୨୦୦୭ ପୂର୍ବରୁ ମନ୍ଦିର ଜମି ଦଖଲରେ ରହିଥିବା ଯୋଗ୍ୟ ବ୍ୟକ୍ତିମାନେ ସେଟେଲମେଣ୍ଟ ପାଇଁ ଆବେଦନ କରିପାରିବେ। ଖୁବଶୀଘ୍ର ଏଥିପାଇଁ ଏକ ଅନଲାଇନ୍ ପୋର୍ଟାଲ ଆରମ୍ଭ ହେବ। ଆବେଦନକାରୀଙ୍କୁ ରେକର୍ଡ, ରେଜିଷ୍ଟର୍ଡ ଡିଡ୍, ଭଡ଼ା ରସିଦ, ଭୋଗଦଖଲ ସମ୍ପର୍କିତ ଦଲିଲ ଏବଂ ଆବଶ୍ୟକ ହେଲେ ଲିଗାଲ୍ ହେୟାର ସାର୍ଟିଫିକେଟ୍ ଦାଖଲ କରିବାକୁ ପଡ଼ିବ। ଆବେଦନ ସମୟରେ ୧,୦୦୦ ଟଙ୍କାର ନନ୍-ରିଫଣ୍ଡେବଲ୍ ଫି’ ରହିଛି। ଆବେଦନ ପରେ ନୋଡାଲ୍ ଅଫିସର ପ୍ରାଥମିକ ଯାଞ୍ଚ କରିବେ ଏବଂ ତହସିଲଦାରଙ୍କ ଦ୍ୱାରା ଜମିର ଫିଲ୍ଡ ଇନକ୍ୱାରି କରାଯିବ।

ନୂଆ ନିୟମରେ ଜମିର ପରିମାଣ ଅନୁଯାୟୀ ୩ଟି ସ୍ତରରେ ସେଟେଲମେଣ୍ଟ ଅନୁମୋଦନ ହେବ। ୫୦ ଡିସିମିଲ ପର୍ଯ୍ୟନ୍ତ ଘରବାଡ଼ି ଜମି ଏବଂ ୧ ଏକର ପର୍ଯ୍ୟନ୍ତ କୃଷି ଜମି ପାଇଁ ଜିଲ୍ଲାପାଳ ନିଷ୍ପତ୍ତି ନେବେ। ଅଧିକ ପରିମାଣର ଜମି ପାଇଁ RDC ଓ ଆଇନ ବିଭାଗର ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମୋଦନ ଆବଶ୍ୟକ ହେବ। ଘରବାଡ଼ି ଜମି ପାଇଁ ଦଖଲ ସମୟ ଅନୁଯାୟୀ ଭିନ୍ନ ଭିନ୍ନ ସ୍ଲାବ୍‌ରେ ଅର୍ଥ ଦେବାକୁ ପଡ଼ିବ। ୩୦ ବର୍ଷରୁ ଅଧିକ ଦଖଲ ଥିଲେ ସାଧାରଣ ଲୋକଙ୍କୁ ୧୦ ପ୍ରତିଶତ BMV ଦେବାକୁ ପଡ଼ିବ। ୨୦ରୁ ୩୦ ବର୍ଷ ଦଖଲ ପାଇଁ ୧୫ ପ୍ରତିଶତ ଏବଂ ୧୨ରୁ ୨୦ ବର୍ଷ ପାଇଁ ୨୫ ପ୍ରତିଶତ ଧାର୍ଯ୍ୟ ହୋଇଛି। ସେବକ ଓ ନିଯୋଗ ସେବକଙ୍କ ପାଇଁ ରିହାତି ଦର ରଖାଯାଇଛି।

ସେଟେଲମେଣ୍ଟ ପ୍ରକ୍ରିୟାରେ ତହସିଲଦାରଙ୍କ ରିପୋର୍ଟ, ଜିଲ୍ଲା ସ୍ତରୀୟ କମିଟିର ଯାଞ୍ଚ ଏବଂ ଶ୍ରୀଜଗନ୍ନାଥ ଟେମ୍ପଲ୍ ମ୍ୟାନେଜିଂ କମିଟିର NOC ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଅନୁମୋଦନ ମିଳିବା ପରେ ଆବେଦନକାରୀଙ୍କୁ ଡିମାଣ୍ଡ ନୋଟିସ୍ ଜାରି ହେବ ଏବଂ ୩ ମାସ ମଧ୍ୟରେ ନିର୍ଦ୍ଧାରିତ ରାଶି ଜମା କରିବାକୁ ପଡ଼ିବ। ପେମେଣ୍ଟ ପରେ ଡିଡ୍ ଏକ୍ଜିକ୍ୟୁସନ୍, ରେଜିଷ୍ଟ୍ରେସନ୍ ଏବଂ ଜମି ରେକର୍ଡ ସଂଶୋଧନ କରାଯିବ। ସରକାର ଦୁଇ ବର୍ଷ ମଧ୍ୟରେ ସମଗ୍ର ସେଟେଲମେଣ୍ଟ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ଆବେଦନରୁ ଅନୁମୋଦନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories