Ram Van Gaman Path: ଉଦ୍ଘାଟନ ପୂର୍ବରୁ ଧସିଲା ରାସ୍ତା, ୪୪୦୦ କୋଟିର ପ୍ରକଳ୍ପର ନିର୍ମାଣ ମାନକୁ ନେଇ ଉଠିଲା ପ୍ରଶ୍ନ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପ୍ରୟାଗରାଜ ଶୃଙ୍ଗବେରପୁର ଧାମରେ ରାମ ବନଗମନ ପଥ ପ୍ରକଳ୍ପ ଅଧୀନରେ ନିର୍ମାଣ ହେଉଥିବା ରାସ୍ତାରେ ଉଦ୍ଘାଟନ ପୂର୍ବରୁ ଫାଟ ଓ ଧସିବା ଘଟଣା ସାମ୍ନାକୁ ଆସିଛି। ସମ୍ପ୍ରତି ହୋଇଥିବା ବର୍ଷା ପରେ ଲକ୍ଷ୍ନୌ ରୋଡ୍ରୁ ଗଙ୍ଗା ସେତୁ ଆଡ଼କୁ ଯାଉଥିବା ରାସ୍ତାର ପ୍ରାୟ ୧୦୦ ମିଟର ଅଞ୍ଚଳରେ ଏକାଧିକ ସ୍ଥାନରେ ଫାଟ ଦେଖାଯିବା ସହ କିଛି ଅଂଶ ତଳକୁ ବସିଯାଇଛି। ରାସ୍ତା ପାର୍ଶ୍ୱରେ ଥିବା ବର୍ଡର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ହୋଇଛି।
ଘଟଣା ପରେ କ୍ଷତିଗ୍ରସ୍ତ ଅଂଶରେ ଯାତାୟାତ ବନ୍ଦ କରାଯାଇ ମରାମତି ଓ ପ୍ୟାଚ୍ୱର୍କ ଆରମ୍ଭ କରାଯାଇଛି। ଅଧିକାରୀଙ୍କ କହିବାନୁସାରେ, ସମ୍ପୃକ୍ତ ରାସ୍ତା ଏପର୍ଯ୍ୟନ୍ତ ଉଦ୍ଘାଟନ ହୋଇନାହିଁ କିମ୍ବା ଆନୁଷ୍ଠାନିକ ଭାବେ ହସ୍ତାନ୍ତର ମଧ୍ୟ ହୋଇନାହିଁ। ବର୍ଷା ଓ ମାଟି କ୍ଷୟ ଯୋଗୁଁ ରାସ୍ତା ଧସିଥିବା ନେଇ ପ୍ରାଥମିକ ଭାବେ କୁହାଯାଇଥିବା ବେଳେ, କ୍ଷତିର ପ୍ରକୃତ କାରଣ ନେଇ ତଦନ୍ତ ଓ ଯାଞ୍ଚ ଜାରି ରହିଛି।
ଅଯୋଧ୍ୟାରୁ ଚିତ୍ରକୂଟକୁ ସଂଯୋଗ କରୁଥିବା ପ୍ରାୟ ୪,୪୦୦ କୋଟି ଟଙ୍କାର ରାମ ବନଗମନ ପଥ ପ୍ରକଳ୍ପରେ ଏଭଳି ଘଟଣା ନିର୍ମାଣର ଗୁଣବତ୍ତା ଓ ତଦାରଖ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ଶୃଙ୍ଗବେରପୁର ଧାମ ଦେଇ ଯାଉଥିବା ଏହି କରିଡର୍ ଧାର୍ମିକ ଓ ଐତିହାସିକ ସ୍ଥଳଗୁଡ଼ିକୁ ଯୋଡ଼ିବାରେ ଗୁରୁତ୍ୱପୂର୍ଣ୍ଣ। ତେବେ ମରାମତି ସହ ରାସ୍ତା ଧସିବାର ପ୍ରକୃତ କାରଣ ଓ ନିର୍ମାଣ ମାନ ନେଇ ଟେକ୍ନିକାଲ୍ ଯାଞ୍ଚ ହେବା ଉପରେ ଏବେ ନଜର ରହିଛି।

