Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

MMDR Act: ଲୋକଭବନ ଆଗରେ ବିଜେଡିର ବିକ୍ଷୋଭ, ପୁଲିସ ସହ ଧସ୍ତାଧସ୍ତି; ଆଇନ ପ୍ରତ୍ୟାହାର ଦାବି

ଭୁବନେଶ୍ୱର: ସଂଶୋଧିତ ଏମ୍‌ଏମ୍‌ଡିଆର୍‌ (MMDR) ଆଇନ ପ୍ରତ୍ୟାହାର ଦାବିରେ ରାଜଧାନୀ ଭୁବନେଶ୍ୱରରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବଡ଼ ଧରଣର ପ୍ରତିବାଦ କରାଯାଇଛି। ଲୋକଭବନ ସମ୍ମୁଖରେ ଆୟୋଜିତ ଏହି ବିକ୍ଷୋଭ ସମୟରେ ପୁଲିସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା। ପାୱାର ହାଉସ୍‌ ଛକରେ ବିକ୍ଷୋଭକାରୀମାନେ ଲୋକଭବନ ଅଭିମୁଖେ ଆଗକୁ ବଢ଼ିବାକୁ ଉଦ୍ୟମ କରିଥିବା ବେଳେ ପୁଲିସ ବ୍ୟାରିକେଡ୍‌ ଦେଇ ସେମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।

ବିଜେଡି ପକ୍ଷରୁ ଏହି ଆନ୍ଦୋଳନରେ ଦଳର ଶତାଧିକ କର୍ମୀ, ବରିଷ୍ଠ ନେତା ଓ ବିଧାୟକ ସାମିଲ ହୋଇଥିଲେ। ଦଳ ପକ୍ଷରୁ ସଂଶୋଧିତ MMDR ଆଇନକୁ ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି ଦାବି କରାଯାଇ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି ହୋଇଛି। ବିଜେଡିର ଦାବି ଅନୁଯାୟୀ, ନୂଆ ଆଇନ ଯୋଗୁଁ ରାଜ୍ୟର ଖଣିଜ ସମ୍ପଦ ଓ ରାଜସ୍ୱ ସ୍ୱାର୍ଥ ପ୍ରଭାବିତ ହୋଇପାରେ। ପୂର୍ବରୁ ଦଳ ଘୋଷଣା କରିଥିଲା ଯେ ଲୋକଭବନ ସମ୍ମୁଖରେ ଧାରଣା ପରେ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପଠାଯିବ।

ପରେ ବିଜେଡିର ଏକ ପ୍ରତିନିଧି ଦଳକୁ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଅନୁମତି ମିଳିଥିଲା। ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ MMDR ଆଇନ ପ୍ରତ୍ୟାହାର ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ଆଗକୁ ବିଧାନସଭାର ଅଧିବେଶନ ଥିବାରୁ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ତାତି ଆହୁରି ବଢ଼ିବା ସମ୍ଭାବନା ରହିଛି। ଏପଟେ ରାଜ୍ୟ ସରକାର MMDR ସଂଶୋଧନକୁ ନେଇ ଓଡ଼ିଶାର ଖଣିଜ ରାଜସ୍ୱ ଉପରେ କୌଣସି କ୍ଷତିକାରକ ପ୍ରଭାବ ପଡ଼ିବ ନାହିଁ ବୋଲି କହିଆସୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories