Jharkhand High Court: ମହିଳାଙ୍କ ଶାଢ଼ି ଟାଣିବା କିମ୍ବା ଅଶୋଭନୀୟ ଆଚରଣ ଦୁଷ୍କର୍ମ ଉଦ୍ୟମ ନୁହେଁ! ୨୭ ବର୍ଷ ପୁରୁଣା ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ବଡ଼ ରାୟ
ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ହାଇକୋର୍ଟ ୨୭ ବର୍ଷ ପୁରୁଣା ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମହିଳାଙ୍କ ଘରେ ପଶି ତାଙ୍କୁ ଧରିବା, ଶାଢ଼ି ଟାଣିବା କିମ୍ବା ଅଶୋଭନୀୟ ଆଚରଣ କରିବା ଗୁରୁତର ଅପରାଧ ହୋଇଥିଲେ ମଧ୍ୟ, ପ୍ରତ୍ୟେକ କ୍ଷେତ୍ରରେ ଏହାକୁ ଦୁଷ୍କର୍ମ ଉଦ୍ୟମ ବୋଲି କୁହାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।
ଜଷ୍ଟିସ ପ୍ରଦୀପ କୁମାର ଶ୍ରୀବାସ୍ତବଙ୍କ ଖଣ୍ଡପୀଠ ଘାଟଶିଳାର କମଳେନ୍ଦୁ ମେହଟ୍ଟା ଓରଫ ଖୋକାଙ୍କ ଅପିଲର ଶୁଣାଣି କରି ମାମଲାଟିକୁ ଆଇପିସି ଧାରା ୩୫୪ ଅନୁଯାୟୀ ଅପରାଧ ଭାବେ ବିବେଚନା କରିଛନ୍ତି। ତେବେ ତଳକୋର୍ଟ ଦେଇଥିବା ୪ ବର୍ଷର ଜେଲ୍ଦଣ୍ଡକୁ କମାଇ ୮ ମାସ କରାଯାଇଛି।
ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ୧୯୯୯ ଡିସେମ୍ବର ୨୭ ରାତିରେ ଅଭିଯୁକ୍ତ ତାଙ୍କ ଘରେ ପଶି ଶାଢ଼ି ଟାଣିବା ସହ ଅଶୋଭନୀୟ ଆଚରଣ କରିଥିଲେ। ପୀଡ଼ିତା ପାଟି କରିବା ପରେ ତାଙ୍କ ମା’ ଆସିଯିବାରୁ ଅଭିଯୁକ୍ତ ପଳାଇ ଯାଇଥିଲେ। ସାକ୍ଷ୍ୟ ଓ ପରିସ୍ଥିତିର ସମୀକ୍ଷା ପରେ ହାଇକୋର୍ଟ ଦଣ୍ଡାଦେଶରେ କୋହଳ କରିଛନ୍ତି।

