Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Indian Railways: ୪ ରାଜ୍ୟରେ ୫ ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପକୁ କ୍ୟାବିନେଟର ମଞ୍ଜୁରି, ଖର୍ଚ୍ଚ ହେବ ୧୦,୦୨୧ କୋଟି ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି ୧୦,୦୨୧ କୋଟି ଟଙ୍କାର ୫ଟି ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପକୁ ମଞ୍ଜୁରି ଦେଇଛି। ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତେଲେଙ୍ଗାନାର ୧୭ଟି ଜିଲ୍ଲା ଦେଇ ଯିବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରେଳ ନେଟୱର୍କରେ ପ୍ରାୟ ୫୪୦ କିଲୋମିଟର ଲାଇନ୍‌ କ୍ଷମତା ବଢ଼ିବ। ଏହାଦ୍ୱାରା ପ୍ରାୟ ୨,୧୨୧ଟି ଗାଁର ପ୍ରାୟ ୫୨ ଲକ୍ଷ ଲୋକ ଉପକୃତ ହେବେ। ପ୍ରକଳ୍ପଗୁଡ଼ିକରେ ଅରକୋଣମ-ରେଣିଗୁଣ୍ଟା ୩ୟ ଓ ୪ର୍ଥ ଲାଇନ୍‌ (୭୭ କିମି), ହ୍ୱାଇଟଫିଲ୍ଡ-ବାଙ୍ଗାରପେଟ୍‌ ୩ୟ ଓ ୪ର୍ଥ ଲାଇନ୍‌ (୪୭ କିମି), ହୋସୁର-ଓମାଲୁର ଡବଲିଂ (୧୪୭ କିମି), ସାଲେମ-କରୁର-ଦିଣ୍ଡିଗୁଲ ଡବଲିଂ (୧୫୯ କିମି) ଏବଂ ସିକନ୍ଦରାବାଦ-କାଜିପେଟ୍‌ (ଘାଟକେସର) ୧୧୦ କିମି ପ୍ରକଳ୍ପ ରହିଛି।

ଏହି ମଲ୍ଟି-ଟ୍ରାକିଂ ପ୍ରକଳ୍ପ ଫଳରେ ରେଳ ଚଳାଚଳ କ୍ଷମତା ବଢ଼ିବା ସହ ଟ୍ରାଫିକ୍‌ ଭିଡ଼ କମିବ, ଟ୍ରେନ୍‌ ପରିଚାଳନା ଅଧିକ ସୁଦୃଢ଼ ହେବ ଏବଂ ସେବାର ନିର୍ଭରଯୋଗ୍ୟତା ବଢ଼ିବ। PM Gati Shakti National Master Plan ଅଧୀନରେ ଏହି ପ୍ରକଳ୍ପଗୁଡ଼ିକୁ ଯୋଜନା କରାଯାଇଛି ଏବଂ ୨୦୨୯-୩୦ ସୁଦ୍ଧା ଏଗୁଡ଼ିକ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି। ଏହାଦ୍ୱାରା ତିରୁପତି, ତିରୁତ୍ତାଣିର ସୁବ୍ରମଣ୍ୟ ସ୍ୱାମୀ ମନ୍ଦିର, କୋଲାର ଗୋଲ୍ଡ ଫିଲ୍ଡସ୍‌, ହୋଗେନାକ୍କାଲ ଜଳପ୍ରପାତ, କୋଡାଇକାନାଲ, ସତ୍ୟମଙ୍ଗଳମ ବନ୍ୟପ୍ରାଣୀ ଅଭୟାରଣ୍ୟ, ନାମକ୍କଲ ଓ ଯାଦାଦ୍ରିଗୁଟ୍ଟା ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ରେଳ ଯୋଗାଯୋଗ ଆହୁରି ସୁଦୃଢ଼ ହେବ।

ଏହି ରେଳପଥଗୁଡ଼ିକ କୋଇଲା, ସିମେଣ୍ଟ, ଲୁହା ଓ ଇସ୍ପାତ, କଣ୍ଟେନର, ଅଟୋମୋବାଇଲ୍‌, ଖାଦ୍ୟଶସ୍ୟ, ପେଟ୍ରୋଲିୟମ ଉତ୍ପାଦ ଓ ସାର ଭଳି ସାମଗ୍ରୀ ପରିବହନ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କ୍ଷମତା ବୃଦ୍ଧି ପରେ ବାର୍ଷିକ ପ୍ରାୟ ୪୭ ମିଲିୟନ୍ ଟନ୍‌ ଅତିରିକ୍ତ ମାଲ ପରିବହନ ସମ୍ଭବ ହେବ। ଏଥିସହ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚ କମିବା ସହ ପ୍ରାୟ ୮ କୋଟି ଲିଟର ତେଲ ଆମଦାନି ହ୍ରାସ ଏବଂ ୪୨ କୋଟି କିଲୋଗ୍ରାମ୍‌ CO₂ ନିର୍ଗମନ କମିବା ଆଶା କରାଯାଉଛି। ସରକାରଙ୍କ ଅନୁସାରେ, ଏହି CO₂ ହ୍ରାସ ପ୍ରାୟ ୨ କୋଟି ଗଛ ରୋପଣ ସହ ସମାନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories