Saima Wazed: WHOର ଦକ୍ଷିଣ-ପୂର୍ବ ଏସିଆ ମୁଖ୍ୟ ପଦରୁ ଇସ୍ତଫା ଦେଲେ ଶେଖ ହସିନାଙ୍କ ଝିଅ
ବାଂଲାଦେଶ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଝିଅ ସାଇମା ୱାଜେଦ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଦକ୍ଷିଣ-ପୂର୍ବ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ଠକେଇ ଓ ଜାଲିଆତି ଅଭିଯୋଗକୁ ନେଇ ତାଙ୍କ ବିରୋଧରେ WHO ଓ ବାଂଲାଦେଶୀ କର୍ତ୍ତୃପକ୍ଷଙ୍କ ତଦନ୍ତ ଚାଲିଥିବାବେଳେ ବୁଧବାର ତାଙ୍କ ଇସ୍ତଫା ତତ୍କାଳ ପ୍ରଭାବରୁ ଲାଗୁ ହୋଇଛି।
ସାଇମା ୱାଜେଦ ୨୦୨୪ରେ WHOର ଦକ୍ଷିଣ-ପୂର୍ବ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ୨୦୨୯ ପର୍ଯ୍ୟନ୍ତ ଥିଲା। ତେବେ ଠକେଇ ଓ ଜାଲିଆତି ସମ୍ପର୍କିତ ଅଭିଯୋଗ ପରେ ୨୦୨୫ରେ WHO ତାଙ୍କୁ ବେତନବିହୀନ ପ୍ରଶାସନିକ ଛୁଟିରେ ପଠାଇଥିଲା। ଅଭିଯୋଗଗୁଡ଼ିକ ମଧ୍ୟରେ ଯାତ୍ରା ଖର୍ଚ୍ଚ, ଶିକ୍ଷାଗତ ଯୋଗ୍ୟତା ଓ ଜମି ସମ୍ପର୍କିତ ଅନିୟମିତତା ଥିବା ନେଇ ତଦନ୍ତ ହେଉଥିଲା।
ତେବେ ସାଇମା ୱାଜେଦ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ପ୍ରାୟ ଏକ ବର୍ଷ ଧରି ବେତନ ନ ପାଇବା ସହ ପରିସ୍ଥିତିକୁ ନେଇ ସେ ଇସ୍ତଫା ଦେବାର ନିଷ୍ପତ୍ତି ନେଇଥିବା କୁହାଯାଇଛି। ତାଙ୍କ ଇସ୍ତଫା ପରେ WHOର ଦକ୍ଷିଣ-ପୂର୍ବ ଏସିଆ ଆଞ୍ଚଳିକ ମୁଖ୍ୟ ପଦକୁ ନେଇ ନୂଆ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼ିବାର ସମ୍ଭାବନା ରହିଛି।

