Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bargarh Cough Syrup: ଭୂତଳ ଚାମ୍ବରରୁ ୮୧୩ ବୋତଲ କଫ୍‌ ସିରପ୍‌ ଜବତ, ମହିଳା ଗିରଫ; ସ୍ୱାମୀ ଫେରାର

ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ଥାନା ଅଞ୍ଚଳରୁ ବିପୁଳ ପରିମାଣର କୋଡିନ୍‌ ଯୁକ୍ତ କଫ୍‌ ସିରପ୍‌ ଜବତ ହୋଇଛି। ବଡ଼ମାଳ ଗାଁରେ ସୂର୍ଯ୍ୟକାନ୍ତ ସାହୁଙ୍କ ଘରେ ପୁଲିସ ଚଢ଼ାଉ କରି ଘର ପଛପଟେ ଥିବା ଏକ ଗୁପ୍ତ ଭୂତଳ ଚାମ୍ବରରୁ ୧୦୦ ମିଲିଲିଟର ଲେଖାଏଁ ୮୧୩ ବୋତଲ କଫ୍‌ ସିରପ୍‌ ଜବତ କରିଛି। ପୁଲିସ ଅନୁସାରେ, ଜବତ କଫ୍‌ ସିରପ୍‌ରେ କୋଡିନ୍‌ ଫସଫେଟ୍‌ ରହିଛି ଏବଂ ଏହି ମାମଲାରେ ଏନ୍‌ଡିପିଏସ୍‌ ଆଇନର ବିଭିନ୍ନ ଧାରା ଲାଗୁ କରାଯାଇଛି।

ଚଢ଼ାଉ ସମୟରେ ସୂର୍ଯ୍ୟକାନ୍ତ ସାହୁ ଘରେ ନଥିବା ବେଳେ ତାଙ୍କ ପତ୍ନୀ ପାର୍ବତୀ ସାହୁ (୪୦)ଙ୍କୁ ପୁଲିସ ଗିରଫ କରିଛି। ଏହାସହ ଘରୁ ୩ ଲକ୍ଷ ୩୩ ହଜାର ୬୦୦ ଟଙ୍କା ନଗଦ, ଗୋଟିଏ ଧଳା ମହିନ୍ଦ୍ରା ବୋଲେରୋ, ଗୋଟିଏ କଳା ମହିନ୍ଦ୍ରା ଥାର୍‌, ମୋବାଇଲ୍‌ ଫୋନ୍‌, ବ୍ୟାଙ୍କ ପାସ୍‌ବୁକ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ପୁଲିସ କହିଛି।

ପୁଲିସର ସୂଚନା ଅନୁଯାୟୀ, କଫ୍‌ ସିରପ୍‌ର ବେଆଇନ କାରବାର ସମ୍ପର୍କରେ ମିଳିଥିବା ସୂଚନା ଆଧାରରେ ଏହି ଚଢ଼ାଉ କରାଯାଇଥିଲା। ଗିରଫ ପାର୍ବତୀ ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଥିବା ସୂର୍ଯ୍ୟକାନ୍ତ ସାହୁଙ୍କୁ ଧରିବା ପାଇଁ ପୁଲିସ ତନାଘନା ଜାରି ରଖିଛି। ମାମଲାରେ କଫ୍‌ ସିରପ୍‌ କାରବାରର ନେଟୱର୍କ ଓ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ଭୂମିକା ନେଇ ମଧ୍ୟ ତଦନ୍ତ ଚାଲିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories