Asika Panchayat Samiti Meeting: ବୈଠକରେ ବିଧାୟକଙ୍କ ପୁଅଙ୍କ ଦୁର୍ବ୍ୟବହାର! କକ୍ଷ ଭିତରକୁ ଧସେଇ ହୋଇ ପଶିବା ଘଟଣା, ୨ ପୁଅଙ୍କ ବିରୋଧରେ ଥାନାରେ ଅଭିଯୋଗ
ଗଞ୍ଜାମ: ପ୍ରାୟ ୧୭ ମାସ ପରେ ଆସିକା ପଞ୍ଚାୟତ ସମିତିର ବୈଠକ ବସିଥିବା ବେଳେ ଆରମ୍ଭରୁ ଦେଖାଦେଇଥିଲା ତୀବ୍ର ଉତ୍ତେଜନା। ବ୍ଲକ୍ର ବିଭିନ୍ନ ଉନ୍ନୟନମୂଳକ କାମର ବିଲ୍ ପଡ଼ି ରହିବା ଓ ଅଞ୍ଚଳର ବିକାଶ ପ୍ରତି ଅବହେଳା ନେଇ ସରପଞ୍ଚ ଓ ସମିତିସଭ୍ୟମାନେ ବିଧାୟକ ସରୋଜ ପାଢ଼ୀଙ୍କୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ବୈଠକରେ ଯୁକ୍ତିତର୍କ ତୀବ୍ର ହୋଇଥିଲା। ଏହି ସମୟରେ ବିଧାୟକଙ୍କ ଦୁଇ ପୁଅ ସମ୍ବିତ ଓ ସଙ୍ଗୀତ ବୈଠକ କକ୍ଷ ଭିତରକୁ ଧସେଇ ପଶି ଗଣ୍ଡଗୋଳ ଓ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ପରିସ୍ଥିତି ହାତାହାତି ଯାଏଁ ପହଞ୍ଚିଥିବା ବେଳେ ପୁଲିସ ହସ୍ତକ୍ଷେପ ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା।
ଆଜି ପୂର୍ବାହ୍ନରେ ଆସିକା ପଞ୍ଚାୟତ ସମିତି ସଭାଗୃହରେ ଅଷ୍ଟମ ପଞ୍ଚାୟତ ସମିତି ବୈଠକ ଅଧ୍ୟକ୍ଷା ତ୍ରିବେଣୀ ନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା। ବିଡିଓ ରାଜେନ୍ଦ୍ର ନାୟକଙ୍କ ଆବାହକତ୍ୱରେ ବୈଠକରେ ବିଧାୟକ ସରୋଜ ପାଢ଼ୀ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଲ୍ ପୈଠ ନ ହେବା ପ୍ରସଙ୍ଗରୁ ବିବାଦ ଆରମ୍ଭ ହୋଇଥିଲା। ପରେ ଆସିକାରେ ଗୁଣ୍ଡାଗର୍ଦ୍ଦି ଓ ବାଲି ଚୋରି ବଢ଼ୁଥିବା ନେଇ କେତେକ ସଦସ୍ୟ ପ୍ରଶ୍ନ ଉଠାଇଥିଲେ। ଏପରିକି ଆସିକାରେ ‘ସବୁଠାରୁ ବଡ଼ ଗୁଣ୍ଡା’ କିଏ ବୋଲି ପ୍ରଶ୍ନ ମଧ୍ୟ ଉଠିଥିବା ଜଣାପଡ଼ିଛି। ବିଧାୟକ କିଛି ସମୟ ପାଇଁ ଉତ୍ତ୍ୟକ୍ତ ହୋଇଥିଲେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିଥିବା କୁହାଯାଇଛି।
ଅନ୍ୟପକ୍ଷରେ, ହରଡ଼ାପଦର ସରପଞ୍ଚ ଜୟନ୍ତୀ ବେହେରା ଓ ସମିତିସଭ୍ୟ ତ୍ରିନାଥ ବେହେରାଙ୍କୁ ବିଧାୟକଙ୍କ ଦୁଇ ପୁଅଙ୍କ ସମେତ କିଛି ବ୍ୟକ୍ତି ଜାତିଆଣ ଆକ୍ଷେପ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏନେଇ ଜୟନ୍ତୀ ବେହେରା ଆସିକା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗର ତଦନ୍ତ କରୁଥିବା ଆଇଆଇସି କହିଛନ୍ତି। ଘଟଣାକୁ ନେଇ ଆସିକା ଅଞ୍ଚଳର ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

