Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Mumbai-Goa Highway: ବିଳମ୍ବ ପାଇଁ ଲଜ୍ଜିତ ଗଡକରୀ, ଉଦ୍‌ଘାଟନକୁ ଯିବେନି; ଅକ୍ଟୋବରରେ ନିଜେ କରିବେ ରାସ୍ତା ଯାଞ୍ଚ

ମୁମ୍ବାଇ: ମୁମ୍ବାଇ-ଗୋଆ ହାଇୱେର ପ୍ରଶସ୍ତିକରଣ କାମରେ ଦୀର୍ଘ ବିଳମ୍ବକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାମରେ ଏତେ ବିଳମ୍ବ ହୋଇଥିବାରୁ ସେ ନିଜକୁ ‘ଲଜ୍ଜିତ’ ଅନୁଭବ କରୁଥିବା କହିଛନ୍ତି। ଏହି କାରଣରୁ ହାଇୱେର ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ସେ ଯିବେ ନାହିଁ ବୋଲି ଗଡକରୀ ସ୍ପଷ୍ଟ କରିଛନ୍ତି। ଏହି ପ୍ରକଳ୍ପ ବର୍ତ୍ତମାନ ପ୍ରାୟ ୯୩-୯୪ ପ୍ରତିଶତ ଶେଷ ହୋଇଥିବା ସେ କହିଛନ୍ତି।

ଗଡକରୀ କହିଛନ୍ତି, ଆସନ୍ତା ଅକ୍ଟୋବରରେ ସେ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ସଡ଼କ ପଥରେ ଗୋଆ ଯିବେ ଏବଂ ସମ୍ପୂର୍ଣ୍ଣ ମୁମ୍ବାଇ-ଗୋଆ ରାଜପଥର କାମ ନିଜେ ଯାଞ୍ଚ କରିବେ। ଯାତ୍ରୀମାନଙ୍କ ଯାତାୟାତ କେତେ ସୁବିଧାଜନକ ହୋଇଛି, ରାସ୍ତାର ଗୁଣବତ୍ତା କିପରି ରହିଛି ଏବଂ ବାକି କାମ କେତେ ଶେଷ ହୋଇଛି, ତାହା ସେ ନିଜେ ଦେଖିବେ। ଗୋଆର ପୋର୍ଭୋରିମ୍‌ରେ ୬ ଲେନ୍‌ ବିଶିଷ୍ଟ ଏଲିଭେଟେଡ୍‌ ରୋଡ୍‌ କରିଡର ଉଦ୍‌ଘାଟନ ପରେ ଗଡକରୀ ଏହି ଘୋଷଣା କରିଛନ୍ତି।

ଏହାସହ ପ୍ରକଳ୍ପରେ ବିଳମ୍ବ ଏବଂ ଖରାପ କାମ ପାଇଁ ଦାୟୀ କଣ୍ଟ୍ରାକ୍ଟର ଓ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଇଛନ୍ତି ଗଡକରୀ। ଅଧିକ ସଂଖ୍ୟକ କଣ୍ଟ୍ରାକ୍ଟରଙ୍କୁ ବ୍ଲାକଲିଷ୍ଟ କରିବା ଏବଂ ଦାୟୀ ଅଧିକାରୀଙ୍କୁ ନିଲମ୍ବନ କରିବାର ରେକର୍ଡ କରିବାକୁ ଚାହୁଁଥିବା ସେ କହିଛନ୍ତି। ବର୍ଷ ବର୍ଷ ଧରି ଚାଲିଥିବା ଏହି ହାଇୱେ ପ୍ରକଳ୍ପରେ ଜମି ଅଧିଗ୍ରହଣ, ପରିବେଶ ଅନୁମତି ଓ ଅନ୍ୟାନ୍ୟ ପ୍ରଶାସନିକ ସମସ୍ୟା ଯୋଗୁଁ ବିଳମ୍ବ ହୋଇଥିବା କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories