BRICS Summit: ବ୍ରିକ୍ସ ସମିଟି ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା, ୭ ହଜାର ସୁରକ୍ଷାକର୍ମୀ ମୁତୟନ; ୩୫ରୁ ଅଧିକ ରାସ୍ତାରେ କଟକଣା
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ସେପ୍ଟେମ୍ବର ୧୧ରୁ ୧୩ ଯାଏଁ ହେବାକୁ ଥିବା ୧୮ତମ ବ୍ରିକ୍ସ ସମ୍ମିଳନୀ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ା କରାଯାଇଛି। ଭାରତ ମଣ୍ଡପମ୍ରେ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ବିଦେଶୀ ନେତା ଓ ଉଚ୍ଚପଦସ୍ଥ ପ୍ରତିନିଧି ଯୋଗଦେବେ। ସେମାନଙ୍କ ସୁରକ୍ଷା ଓ ଯାତାୟାତ ପରିଚାଳନା ପାଇଁ ପ୍ରାୟ ୭ ହଜାର ସୁରକ୍ଷାକର୍ମୀ ମୁତୟନ ହେବା ସହ ପ୍ରାୟ ୪,୮୦୦ ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ଭାରତ ମଣ୍ଡପମ୍ ଏବଂ ଭିଭିଆଇପି ରୁଟ୍ ସମେତ ବିଦେଶୀ ପ୍ରତିନିଧି ରହିବାକୁ ଥିବା ହୋଟେଲଗୁଡ଼ିକରେ ମଧ୍ୟ କଡ଼ା ନଜର ରଖାଯିବ।
ସୁରକ୍ଷା ବ୍ୟବସ୍ଥା କେବଳ ସମ୍ମିଳନୀ ସ୍ଥଳରେ ସୀମିତ ରହିବ ନାହିଁ। ଦିଲ୍ଲୀ ପୁଲିସ ସହ ପାରାମିଲିଟାରୀ ବାହିନୀ, ଏନ୍ଏସ୍ଜି, ଆଇବି ଓ ଏସ୍ପିଜି ଭଳି ସୁରକ୍ଷା ଏଜେନ୍ସିଗୁଡ଼ିକ ସମନ୍ୱୟରେ କାମ କରିବେ। ଭାରତ ମଣ୍ଡପମ୍ ଚାରିପାଖରେ ବହୁସ୍ତରୀୟ ସୁରକ୍ଷା ବଳୟ ସହ ସିସିଟିଭି, ବାୟୋମେଟ୍ରିକ୍ ଯାଞ୍ଚ, ପ୍ରବେଶ ନିୟନ୍ତ୍ରଣ ଏବଂ ଆଣ୍ଟି-ସାବୋଟାଜ୍ ଯାଞ୍ଚ ବ୍ୟବସ୍ଥା କରାଯାଇଛି। ସନ୍ଦେହଜନକ ବସ୍ତୁ, ଗାଡ଼ି କିମ୍ବା ବ୍ୟକ୍ତିଙ୍କ ଉପରେ ମଧ୍ୟ ନଜର ରହିବ। ଭିଭିଆଇପି ଗାଡ଼ି ଚଳାଚଳ ସମୟରେ ନିର୍ଦ୍ଦିଷ୍ଟ ରାସ୍ତାରେ ସାଧାରଣ ଯାତାୟାତକୁ କିଛି ସମୟ ପାଇଁ ବନ୍ଦ କିମ୍ବା ଡାଇଭର୍ଟ କରାଯାଇପାରେ।
ସମ୍ମିଳନୀ ପାଇଁ ଦିଲ୍ଲୀର ୨୨ଟି ପ୍ରମୁଖ ଡାଇଭର୍ସନ ପଏଣ୍ଟ ଚିହ୍ନଟ କରାଯାଇଥିବା ବେଳେ ୩୫ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ କରାଯିବ। ସର୍ଦ୍ଦାର ପଟେଲ ମାର୍ଗ, ମଥୁରା ରୋଡ୍, ଜନପଥ, ଅଶୋକା ରୋଡ୍, ବାରାଖମ୍ବା ରୋଡ୍, ଟିନ୍ ମୂର୍ତ୍ତି ମାର୍ଗ, ଏପିଜେ ଅବଦୁଲ କଲାମ ରୋଡ୍ ଭଳି ଅନେକ ରାସ୍ତାରେ ଆବଶ୍ୟକତା ଅନୁସାରେ ଯାତାୟାତ ରୋକା କିମ୍ବା ବିକଳ୍ପ ରୁଟ୍କୁ ପଠାଯାଇପାରେ। ଟ୍ରାଫିକ୍ ପୁଲିସ ପକ୍ଷରୁ ଯାତ୍ରୀମାନଙ୍କୁ ଆଗୁଆ ଯାତ୍ରା ଯୋଜନା କରିବା ଏବଂ ସମ୍ଭବ ହେଲେ ମେଟ୍ରୋ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

