Rapido Privacy: ‘I Love You’ ମେସେଜ୍ ପରେ ମହିଳାଙ୍କ ଅଭିଯୋଗ, ଡେଲିଭରି ପାର୍ଟନରଙ୍କ ଜବାବକୁ ନେଇ ଚର୍ଚ୍ଚା
ନୋଏଡା: ନୋଏଡାର ଜଣେ ମହିଳା, Rapidoର ଜଣେ ଡେଲିଭରି ପାର୍ଟନରଙ୍କ ବିରୋଧରେ ଅନୁଚିତ ବ୍ୟବହାରର ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁସାରେ, ପାର୍ସଲ ଡେଲିଭରି ପରେ ସମ୍ପୃକ୍ତ ବ୍ୟକ୍ତି ତାଙ୍କୁ ବ୍ୟକ୍ତିଗତ ମେସେଜ୍ ପଠାଇ ପ୍ରଥମେ “ସେ କିପରି ଅଛନ୍ତି ବୋଲି ପଚାରିଲେ।” ଏବଂ ପରେ ‘I Love You’ ଲେଖିଥିଲେ। ମହିଳା ଏହି ଘଟଣାର ସ୍କ୍ରିନସଟ୍ ସୋସିଆଲ ମିଡିଆ LinkedInରେ ସେୟାର କରି ଗ୍ରାହକଙ୍କ ଗୋପନୀୟତା ଓ ମହିଳା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ମହିଳା ତାଙ୍କୁ ଆଉ ଫୋନ୍ କିମ୍ବା ମେସେଜ୍ ନ କରିବାକୁ କହିବା ସହ ପୁଣି ଯୋଗାଯୋଗ କଲେ ପୋଲିସରେ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଥିଲେ। ତେବେ ଅଭିଯୋଗ ଅନୁସାରେ, ଡେଲିଭରି ପାର୍ଟନର ଏହାକୁ ଅଣଦେଖା କରି ‘Rapidoରେ ଅଭିଯୋଗ କରିଦିଅ’ ବୋଲି ଉତ୍ତର ଦେଇଥିଲେ। ଏହାପରେ ମହିଳା ପ୍ରଶ୍ନ କରିଥିଲେ ଯେ, ଡେଲିଭରି ପାର୍ଟନରଙ୍କ ପାଖକୁ ତାଙ୍କ ବ୍ୟକ୍ତିଗତ ଯୋଗାଯୋଗ ନମ୍ବର କିପରି ପହଞ୍ଚିଲା।
ଘଟଣା ପରେ Rapido ପକ୍ଷରୁ ମହିଳାଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦିଆଯାଇ ଦୁଃଖ ପ୍ରକାଶ କରାଯାଇଛି। କମ୍ପାନୀ କହିଛି ଯେ ଗ୍ରାହକଙ୍କ ସୁରକ୍ଷା, ସମ୍ମାନ ଓ ମର୍ଯ୍ୟାଦାକୁ ସର୍ବାଧିକ ପ୍ରାଥମିକତା ଦିଆଯାଏ ଏବଂ ଏପରି ଅଭିଯୋଗକୁ ଗୁରୁତ୍ୱର ସହ ନିଆଯାଏ। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଆପ୍ ଭିତ୍ତିକ ସେବାରେ ଗ୍ରାହକଙ୍କ ଗୋପନୀୟତା ଓ ମହିଳା ସୁରକ୍ଷା ନେଇ ଚର୍ଚ୍ଚା ଜୋର ଧରିଛି।

