Modi-Xi Meeting: ୭ ବର୍ଷ ପରେ ଭାରତ ଆସୁଛନ୍ତି ଜିନପିଙ୍ଗ, ବ୍ରିକ୍ସରେ ମୋଦୀଙ୍କ ସହ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ୭ ବର୍ଷ ପରେ ଭାରତ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ବୈଠକ କରିବାକୁ ଯାଉଛନ୍ତି। ସେପ୍ଟେମ୍ବର ୧୨-୧୩ରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ଏହି ଆଲୋଚନା ହେବ। ୨୦୨୦ର ଗାଲୱାନ୍ ଘଟଣା ପରେ ଭାରତ-ଚୀନ୍ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିବାରୁ ଏହି ବୈଠକକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ତେବେ ଦୁଇ ନେତା ୨୦୨୪ରେ କାଜାନ୍ ଏବଂ ୨୦୨୫ରେ ତିଆନଜିନ୍ରେ ମଧ୍ୟ ଭେଟିସାରିଛନ୍ତି।
ବୈଠକରେ ଦୁଇ ଦେଶର ସୀମା ବିବାଦ ଓ ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC)ର ସ୍ଥିତି ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦୁଇ ଦେଶର ସମ୍ପର୍କକୁ ଆଗକୁ ବଢ଼ାଇବା ପାଇଁ ଜରୁରୀ ବୋଲି ଉଭୟ ପକ୍ଷ ପୂର୍ବରୁ ଜୋର ଦେଇଛନ୍ତି। ଅଗଷ୍ଟ ୨୦୨୬ରେ ଭାରତ ଓ ଚୀନ୍ର ସୀମା ପ୍ରସଙ୍ଗରେ ବିଶେଷ ପ୍ରତିନିଧି ସ୍ତରୀୟ ଆଲୋଚନାର ୨୫ତମ ପର୍ଯ୍ୟାୟ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ଏହା ସହ ବାଣିଜ୍ୟ, ଅର୍ଥନୈତିକ ସମ୍ପର୍କ ଓ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ନେଇ ମଧ୍ୟ ଆଲୋଚନା ହୋଇପାରେ। ସମ୍ପର୍କରେ ଧୀରେ ଧୀରେ ସୁଧାରର ସଙ୍କେତ ମିଳୁଥିବା ବେଳେ ଜିନପିଙ୍ଗଙ୍କ ଭାରତ ଗସ୍ତ ଏବଂ ମୋଦୀ-ଜିନପିଙ୍ଗ ବୈଠକକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସ୍ଥିର କରିବାର ଏକ ବଡ଼ ସୁଯୋଗ ଭାବେ ଦେଖାଯାଉଛି।

