Angul Accident: ଅନୁଗୋଳ, ପିତାବଳୀ ଛକରେ ବଡ ଦୁର୍ଘଟଣା, ଟ୍ରକ୍ ଚାଳକ ଗୁରୁତର; ଅଳ୍ପକେ ବର୍ତ୍ତିଲେ ହାଇୱା ଡ୍ରାଇଭର
ଅନୁଗୋଳ: ଅନୁଗୋଳର ପିତାବଳୀ ଛକ ନିକଟରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାକୁ ନେଇ ଚର୍ଚ୍ଚା ଦେଖାଦେଇଛି। ପ୍ରଥମେ ଏକ କୋଇଲା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡ଼ିଛି।
ସେହିପରି, ଟ୍ରକ୍ ଦୁର୍ଘଟଣାସ୍ଥଳଠାରୁ କିଛି ଦୂରରେ ଆଉ ଏକ ହାଇୱା ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ତେବେ ଏହି ଦୁର୍ଘଟଣାରେ ହାଇୱା ଚାଳକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଅଳ୍ପ ବ୍ୟବଧାନରେ ଦୁଇଟି ଭାରୀଯାନ ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା।
ଖବର ପାଇ ନିଶା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ଭାରୀଯାନଗୁଡ଼ିକ କେଉଁ ପରିସ୍ଥିତିରେ ଭାରସାମ୍ୟ ହରାଇଥିଲେ ଏବଂ ଦୁର୍ଘଟଣାର ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ପୁଲିସ ଛାନଭିନ୍ କରୁଛି।

