Delhi Hairball Case: ୧୧ ବର୍ଷ ଧରି ନିଜ କେଶ ଖାଉଥିଲେ ଯୁବତୀ, ପେଟରୁ ବାହାରିଲା ୧.୧୬ କିଲୋର କେଶ ଗୁଛା
ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ପେଟରୁ ୧.୧୬ କିଲୋଗ୍ରାମ ଓଜନର କେଶର ଗୁଛା ବାହାର କରାଯାଇଛି। ଯୁବତୀ ଜଣକ ପ୍ରାୟ ୧୧ ବର୍ଷ ଧରି ନିଜ କେଶ ଖାଇ ଆସୁଥିବା ଜଣାପଡ଼ିଛି। ଗତ କିଛି ଦିନ ଧରି ତାଙ୍କର ପେଟରେ ପ୍ରବଳ ଯନ୍ତ୍ରଣା, ବାନ୍ତି ଓ ବାନ୍ତି ଲାଗିବା ସହ ଭୋକ କମିଯିବା, ଓଜନ ହ୍ରାସ ଓ ଅତ୍ୟଧିକ ଥକାପଣ ଭଳି ସମସ୍ୟା ରହିଥିଲା। ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ଦ୍ୱାରକାସ୍ଥିତ ମଣିପାଲ୍ ହସ୍ପିଟାଲ୍ ନିଆଯାଇଥିଲା।
ଡାକ୍ତରମାନେ ପରୀକ୍ଷା କରିବା ପରେ ତାଙ୍କ ପେଟର ଉପର ଭାଗରେ ଏକ ଶକ୍ତ ଗୁଛା ଥିବା ଜାଣିବାକୁ ପାଇଥିଲେ। ପରେ ଏଣ୍ଡୋସ୍କୋପି କରାଯିବାରୁ ପେଟ ଭିତରେ ବହୁ ପରିମାଣର କେଶ ଜମି Trichobezoar ତିଆରି ହୋଇଥିବା ଜଣାପଡ଼ିଥିଲା। ଏହି କେଶର ଗୁଛାଟି ‘J’ ଆକାରର ହୋଇ ପେଟର ବଡ଼ ଅଂଶକୁ ଭରି ଦେଇଥିଲା ଏବଂ ଛୋଟ ଅନ୍ତନଳୀ ଆରମ୍ଭ ହେଉଥିବା ସ୍ଥାନ ପର୍ଯ୍ୟନ୍ତ ପହଞ୍ଚିଥିଲା। ପ୍ରଥମେ ଏଣ୍ଡୋସ୍କୋପି ମାଧ୍ୟମରେ ଏହାକୁ ବାହାର କରିବାକୁ ଚେଷ୍ଟା ହୋଇଥିଲେ ମଧ୍ୟ ଗୁଛାଟିର ଆକାର ଓ ଘନତା ଅଧିକ ଥିବାରୁ ସମ୍ପୂର୍ଣ୍ଣ ଭାବେ ବାହାର କରିବା ସମ୍ଭବ ହୋଇନଥିଲା। ଶେଷରେ ଡାକ୍ତରମାନେ ଶଲ୍ୟଚିକିତ୍ସା ମାଧ୍ୟମରେ ସମ୍ପୂର୍ଣ୍ଣ କେଶ ଗୁଛାକୁ ବାହାର କରିଥିଲେ।
ଡାକ୍ତରଙ୍କ ଅନୁସାରେ, ବାରମ୍ବାର ନିଜ କେଶ ଖାଇବା ଅଭ୍ୟାସକୁ Trichophagia କୁହାଯାଏ। କେଶ ଶରୀରରେ ପଚେ ନାହିଁ, ତେଣୁ ଦୀର୍ଘ ସମୟ ଧରି କେଶ ଗିଳିଲେ ଏହା ପେଟରେ ଧୀରେ ଧୀରେ ଜମି ଏଭଳି ଘନ ଗୁଛାର ରୂପ ନେଇପାରେ। ଏହି ଘଟଣା ପରେ ଯୁବତୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିବା, ଭୋକ ଫେରିଥିବା ଏବଂ ସେ ପୁଣି ପାଠପଢ଼ା ଆରମ୍ଭ କରିଥିବା ଡାକ୍ତରମାନେ କହିଛନ୍ତି। ବିଶେଷଜ୍ଞଙ୍କ ମତରେ, ଏଭଳି ଅଭ୍ୟାସକୁ ଅଣଦେଖା ନକରି ସମୟ ଥାଉଥାଉ ଚିକିତ୍ସା ଓ ଆବଶ୍ୟକ ମାନସିକ ସହାୟତା ନେବା ଜରୁରୀ।

