Odisha Deputy CM: ଦୁଇ ଉପମୁଖ୍ୟମନ୍ତ୍ରୀ ପଦ ବିରୋଧରେ ମାମଲା ଖାରଜ, ଜନସ୍ୱାର୍ଥ ମାମଲାର ଅପବ୍ୟବହାର ନେଇ ହାଇକୋର୍ଟଙ୍କ କଡ଼ା ଟିପ୍ପଣୀ
ହାଇକୋର୍ଟ: ଓଡ଼ିଶାରେ ଦୁଇ ଉପମୁଖ୍ୟମନ୍ତ୍ରୀ ପଦ ସୃଷ୍ଟିକୁ ବିରୋଧ କରି ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ। ସମ୍ବିଧାନରେ ‘ଉପମୁଖ୍ୟମନ୍ତ୍ରୀ’ ପଦ ସମ୍ପର୍କରେ ସ୍ୱତନ୍ତ୍ର ବ୍ୟବସ୍ଥା ନଥିବା ଦର୍ଶାଇ ଏହି ପଦକୁ ପ୍ରତ୍ୟାହାର କରିବାକୁ ଆବେଦନ କରାଯାଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଓ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହାକୁ ଗ୍ରହଣୀୟ ନୁହେଁ ବୋଲି କହିବା ସହ ଖାରଜ କରିଛନ୍ତି। ଜନସ୍ୱାର୍ଥ ମାମଲା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ବ୍ୟବସ୍ଥାର ଅପବ୍ୟବହାରକୁ ଅଦାଲତ ଅନୁମତି ଦେଇପାରିବେ ନାହିଁ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି।
ଏହି ମାମଲା ଆଇନଜୀବୀ ଏଲିନା ଦାଶ ଦାଏର କରିଥିଲେ। ୨୦୨୪ରେ ନୂଆ ସରକାର ଗଠନ ସମୟରେ ଦୁଇଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିବା ବେଳେ ସମ୍ବିଧାନରେ ଏଭଳି ପଦ ପାଇଁ ସ୍ପଷ୍ଟ ବ୍ୟବସ୍ଥା ନଥିବା ସେ ଦର୍ଶାଇଥିଲେ। ଏହାସହ ଉପମୁଖ୍ୟମନ୍ତ୍ରୀମାନଙ୍କର କ୍ୟାବିନେଟ୍ ମନ୍ତ୍ରୀଙ୍କ ତୁଳନାରେ କୌଣସି ସ୍ୱତନ୍ତ୍ର ସାମ୍ବିଧାନିକ କ୍ଷମତା ନଥିଲେ ମଧ୍ୟ ସୁରକ୍ଷା ଓ କାର୍ଯ୍ୟାଳୟ ପରିଚାଳନା ପାଇଁ ରାଜକୋଷରୁ ଅଧିକ ଅର୍ଥ ଖର୍ଚ୍ଚ ହେଉଥିବା ଯୁକ୍ତି ରଖାଯାଇଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଅଗଷ୍ଟ ୨୭ରେ ରାୟ ସଂରକ୍ଷିତ ରଖିଥିଲେ।
ରାୟରେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଉପମୁଖ୍ୟମନ୍ତ୍ରୀ ପଦ ଏକ ଆଳଙ୍କାରିକ ପଦ ଏବଂ ଏହା ମନ୍ତ୍ରୀ ପରିଷଦର ଏକ ଅଂଶ। ପ୍ରଶାସନିକ ବ୍ୟବସ୍ଥାରେ ସନ୍ତୁଳନ ବଜାୟ ରଖିବା ପାଇଁ ଏଭଳି ପଦ ରଖାଯାଇପାରେ ଏବଂ ଏହାଦ୍ୱାରା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ହେଉନାହିଁ ବୋଲି ଅଦାଲତ କହିଛନ୍ତି। ଏଥିସହ ବ୍ୟକ୍ତିଗତ ସ୍ୱାର୍ଥ କିମ୍ବା ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଜନସ୍ୱାର୍ଥ ମାମଲା ଦାଏର କରାଯିବା ନେଇ ମଧ୍ୟ ଅଦାଲତ ସତର୍କ କରିଛନ୍ତି। ମାମଲା ଯୋଗୁଁ ଅଦାଲତଙ୍କ ସମୟ ନଷ୍ଟ ହୋଇଥିବାରୁ ଆବେଦନକାରିଣୀଙ୍କ ଉପରେ ଜରିମାନା କରାଯାଇପାରିଥାନ୍ତା ବୋଲି କହିଥିଲେ ମଧ୍ୟ ସେ ଜଣେ ଯୁବ ଆଇନଜୀବୀ ହୋଇଥିବାରୁ ଏଥର ଏହା କରାଯାଇନାହିଁ। ଭବିଷ୍ୟତରେ ସେ ସମାଜର ତଳସ୍ତରର ଲୋକଙ୍କ ସ୍ୱାର୍ଥ ପାଇଁ ଜନସ୍ୱାର୍ଥ ମାମଲା ଦାଏର କରିବେ ବୋଲି ଅଦାଲତ ଆଶା ପ୍ରକାଶ କରିଛନ୍ତି।

