BMC Eviction: ୟୁନିଟ୍-୧ ହାଟ ନିକଟରେ ବିଏମ୍ସିର ବଡ଼ ଉଚ୍ଛେଦ, ହଟିଲା ସରକାରୀ ଜାଗାରେ ଗଢ଼ିଉଠିଥିବା ଭେଣ୍ଡିଂ ଜୋନ୍
ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍-୧ ହାଟ ନିକଟରେ ବିଏମ୍ସି ପକ୍ଷରୁ ଉଚ୍ଛେଦ କାର୍ଯ୍ୟାନୁଷ୍ଠାନ କରାଯାଇଛି। ସରକାରୀ ଜାଗାରେ ଗଢ଼ିଉଠିଥିବା ଭେଣ୍ଡିଂ ଜୋନ୍ରୁ ଦୋକାନଗୁଡ଼ିକୁ ହଟାଇ ଜାଗାକୁ ଜବରଦଖଲମୁକ୍ତ କରାଯାଇଛି। ଆଜି ବିଏମ୍ସିର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲା। ଏହି ସମୟରେ ସରକାରୀ ଜାଗାରେ ଥିବା ବିଭିନ୍ନ ଦୋକାନକୁ ହଟାଇ ଦିଆଯାଇଥିଲା।
ବିଏମ୍ସିର ସୂଚନା ଅନୁସାରେ, ଏଠାରେ ବ୍ୟବସାୟ କରୁଥିବା ଦୋକାନୀମାନଙ୍କୁ ପୂର୍ବରୁ ଅନ୍ୟ ସ୍ଥାନରେ ଥଇଥାନ କରାଯାଇଥିଲା। ତେବେ ଥଇଥାନ ସ୍ଥାନକୁ ନଯାଇ କିଛି ଦୋକାନୀ ପୁଣିଥରେ ସରକାରୀ ଜାଗାରେ ଦୋକାନ ଖୋଲି ବ୍ୟବସାୟ ଜାରି ରଖିଥିବା ବିଏମ୍ସି ଅଭିଯୋଗ କରିଛି। ଏହାପରେ ଜବରଦଖଲ ହଟାଇବା ପାଇଁ ବିଏମ୍ସି ପକ୍ଷରୁ ଉଚ୍ଛେଦ କାର୍ଯ୍ୟାନୁଷ୍ଠାନ କରାଯାଇଛି।
ଅନ୍ୟପଟେ, ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କ ଥଇଥାନ ପାଇଁ ବିଏମ୍ସି ପକ୍ଷରୁ ୫୩ଟି ନୂଆ ଭେଣ୍ଡିଂ ଜୋନ୍ ପ୍ରସ୍ତୁତ କରାଯାଇଛି। ଏହି ଭେଣ୍ଡିଂ ଜୋନ୍ଗୁଡ଼ିକରେ ଦୋକାନୀମାନଙ୍କୁ ବ୍ୟବସ୍ଥିତ ଭାବେ ଥଇଥାନ କରାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ରାସ୍ତାପାର୍ଶ୍ୱରେ ଅନିୟମିତ ଭାବେ ଦୋକାନ ଖୋଲିବା ସମସ୍ୟା କମିବା ସହ ବ୍ୟବସାୟୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ମିଳିବ।

