Salman Khan Salary: ‘Bigg Boss 20’ ପାଇଁ ସପ୍ତାହକୁ କେତେ ନେଉଛନ୍ତି ଭାଇଜାନ୍? ଫିସ୍ ଜାଣିଲେ ଉଡ଼ିଯିବ ହୋସ୍
ମୁମ୍ବାଇ: ଦେଶର ସବୁଠାରୁ ଲୋକପ୍ରିୟ ଓ ଚର୍ଚ୍ଚିତ ରିଆଲିଟି ସୋ’ ‘ବିଗ୍ ବସ୍’ ପୁଣିଥରେ ଦର୍ଶକଙ୍କ ମଧ୍ୟରେ ନିଜର ଦବଦବା ଜାହିର କରିଛି। ଜୁନ୍ ୬ ତାରିଖରୁ ଗ୍ରାଣ୍ଡ ପ୍ରିମିୟର ସହ ଆରମ୍ଭ ହୋଇଛି ‘ବିଗ୍ ବସ୍ ୨୦’। ଘର ଭିତରେ ପ୍ରତିଯୋଗୀଙ୍କ ଖେଳ, ଝଗଡ଼ା, ଯୁକ୍ତିତର୍କ ଓ ରଣନୀତିକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଥିବା ବେଳେ, ଏଥର ମଧ୍ୟ ସୋ’ର ହୋଷ୍ଟ ସଲମାନ ଖାନ୍ ରହିଛନ୍ତି ମୁଖ୍ୟ ଆକର୍ଷଣ। ବିଗ୍ ବସ୍ ସହ ସଲମାନଙ୍କ ସମ୍ପର୍କ ଏତେ ଗଭୀର ଯେ, ତାଙ୍କ ବିନା ଏହି ସୋ’କୁ କଳ୍ପନା କରିବା ମଧ୍ୟ ଅନେକ ଦର୍ଶକଙ୍କ ପାଇଁ କଷ୍ଟକର। ପ୍ରତି ସପ୍ତାହରେ ‘ୱିକେଣ୍ଡ୍ କା ୱାର୍’ରେ ସଲମାନଙ୍କ ଅନ୍ଦାଜ୍ ଏବଂ ପ୍ରତିଯୋଗୀଙ୍କୁ ତାଙ୍କ ଷ୍ଟାଇଲ୍ରେ କ୍ଲାସ୍ ନେବା ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ।
ସଲମାନଙ୍କ ଲୋକପ୍ରିୟତା ସହ ଏବେ ତାଙ୍କ ପାରିଶ୍ରମିକକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। Variety Indiaର ଏକ ରିପୋର୍ଟ ଅନୁସାରେ, ‘ବିଗ୍ ବସ୍ ୨୦’ ହୋଷ୍ଟ କରିବା ପାଇଁ ସଲମାନ ଖାନ୍ ପ୍ରତି ସପ୍ତାହରେ ପ୍ରାୟ ୧୫ କୋଟିରୁ ଅଧିକ ଟଙ୍କା ଫିସ୍ ନେଉଛନ୍ତି। ଅର୍ଥାତ୍, ପ୍ରତି ସପ୍ତାହ ଶନିବାର ଓ ରବିବାର ପ୍ରସାରିତ ହେଉଥିବା ‘ୱିକେଣ୍ଡ୍ କା ୱାର୍’ ପାଇଁ ତାଙ୍କ ପାରିଶ୍ରମିକ ହିଁ ପ୍ରାୟ ୧୫ କୋଟି ଟଙ୍କା। ଦୀର୍ଘ ପ୍ରାୟ ୩ ମାସର ସିଜିନ୍ ହିସାବ କଲେ, ଏହି ଫିସ୍ ମୋଟ ଶହ ଶହ କୋଟି ଟଙ୍କାରେ ପହଞ୍ଚିପାରେ। ଗତ କିଛି ବର୍ଷରେ ମଧ୍ୟ ସଲମାନଙ୍କ ପାରିଶ୍ରମିକରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ୨୦୧୫ ପର୍ଯ୍ୟନ୍ତ ସେ ଗୋଟିଏ ଏପିସୋଡ୍ ପାଇଁ ପ୍ରାୟ ୮ରୁ ୧୦ କୋଟି ଟଙ୍କା ନେଉଥିବାବେଳେ, ‘ବିଗ୍ ବସ୍ ୧୩’ ସମୟରେ ଏହି ଫିସ୍ ପ୍ରାୟ ୧୩ରୁ ୧୫ କୋଟି ଟଙ୍କା ପ୍ରତି ଏପିସୋଡ୍ରେ ପହଞ୍ଚିଥିଲା।
ବିଗ୍ ବସ୍ ସହ ସଲମାନଙ୍କ ଯୋଡ଼ି ଆଜି ଏହି ସୋ’ର ଏକ ବଡ଼ ପରିଚୟ ପାଲଟିଛି। ‘ବିଗ୍ ବସ୍ ୪’ରୁ ସୋ’ର ହୋଷ୍ଟ ଭାବେ ଦାୟିତ୍ୱ ନେଇଥିବା ସଲମାନ ଏହାପରେ ଅନେକ ସିଜିନ୍ରେ ଦର୍ଶକଙ୍କୁ ନିଜ ଷ୍ଟାଇଲ୍ରେ ମନୋରଞ୍ଜନ ଦେଇଛନ୍ତି। ତେବେ ସଲମାନଙ୍କ ପୂର୍ବରୁ ଅରସଦ୍ ୱାର୍ସି, ଶିଳ୍ପା ସେଟ୍ଟୀ ଓ ଅମିତାଭ ବଚ୍ଚନଙ୍କ ଭଳି ବଡ଼ କଳାକାର ମଧ୍ୟ ଏହି ସୋ’କୁ ହୋଷ୍ଟ କରିଥିଲେ। ଫରାହ ଖାନ୍ ମଧ୍ୟ ‘ହଲ୍ଲା ବୋଲ୍’ର ହୋଷ୍ଟ ଥିଲେ। କିନ୍ତୁ ସଲମାନଙ୍କ ଏଣ୍ଟ୍ରି ପରେ ‘ବିଗ୍ ବସ୍’ର ଲୋକପ୍ରିୟତା ଆହୁରି ବଢ଼ିଥିବା କୁହାଯାଏ। ଏବେ ‘ବିଗ୍ ବସ୍ ୨୦’ରେ କେଉଁ ପ୍ରତିଯୋଗୀ ଶେଷ ପର୍ଯ୍ୟନ୍ତ ଟିକି ରହି ବାଜି ମାରୁଛନ୍ତି ଏବଂ ସଲମାନଙ୍କ ‘ୱିକେଣ୍ଡ୍ କା ୱାର୍’ କେତେ ମନୋରଞ୍ଜନ ଦେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।

