Bank Strike: ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ, ଆଜି ପ୍ରଭାବିତ ବ୍ୟାଙ୍କ ସେବା; ଆଗାମୀ ୪ ଦିନ ଛୁଟି
ଭୁବନେଶ୍ୱର: ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ଆଜି ସାରା ଓଡ଼ିଶାରେ ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି। ୫ ଦିନିଆ କାର୍ଯ୍ୟ ସପ୍ତାହ ଲାଗୁ କରିବା ସହ ପିଏଲ୍ଆଇ ସ୍କିମ୍ର ସମୀକ୍ଷା ଦାବିରେ ବ୍ୟାଙ୍କ କର୍ମଚାରୀମାନେ ଆଜି ଧର୍ମଘଟ କରିଛନ୍ତି। ଏହାର ପ୍ରଭାବରେ ବ୍ୟାଙ୍କକୁ ଆସିଥିବା ଗ୍ରାହକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
କଟକ ସହରର ବିଭିନ୍ନ ବ୍ୟାଙ୍କରେ ମଧ୍ୟ କର୍ମଚାରୀମାନେ ଧର୍ମଘଟରେ ସାମିଲ ହୋଇ ଧାରଣା ଦେଇଛନ୍ତି। ତେବେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ କେବଳ ଆଜି ଗୋଟିଏ ଦିନ ପାଇଁ ରହିଛି। ଏହା ପରେ ଆଗାମୀ ୪ ଦିନ ସରକାରୀ ଛୁଟି ଥିବାରୁ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିବ।
ଫଳରେ ଆଜିଠାରୁ କ୍ରମାଗତ ଭାବେ ୫ ଦିନ ବ୍ୟାଙ୍କ ଶାଖାରେ ସାଧାରଣ ସେବା ବାଧାପ୍ରାପ୍ତ ହେବ। ତେଣୁ ନଗଦ ଟଙ୍କା ଉଠାଣ, ଜମା, ଚେକ୍ ସମ୍ବନ୍ଧୀୟ କାମ ଓ ଅନ୍ୟାନ୍ୟ ଶାଖାଭିତ୍ତିକ ସେବା ପାଇଁ ବ୍ୟାଙ୍କ ଉପରେ ନିର୍ଭରଶୀଳ ଗ୍ରାହକମାନେ ଅସୁବିଧାରେ ପଡ଼ିପାରନ୍ତି। ତେବେ ଅନଲାଇନ୍ ବ୍ୟାଙ୍କିଂ, UPI ଓ ATM ଭଳି ଡିଜିଟାଲ୍ ସେବା ସାଧାରଣତଃ ଚାଲୁ ରହିବ।

