Talaq-e-Hasan: ୩ ମାସରେ ୩ ଥର ‘ତଲାକ୍’ କହିଲେ ସ୍ୱାମୀ, ହାଇକୋର୍ଟ କହିଲେ- ଏହା ଭାରତରେ ନିଷିଦ୍ଧ ନୁହେଁ
ଆସାମ: ଆସାମର ଜଣେ ବ୍ୟକ୍ତିଙ୍କ ଛାଡ଼ପତ୍ର ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଗୌହାଟୀ ହାଇକୋର୍ଟ। Talaq-e-Hasan ଭାରତରେ ନିଷିଦ୍ଧ ନୁହେଁ ଏବଂ ଏହା ବୈଧ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍ ଅରୁଣ ଦେବ ଚୌଧୁରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆବେଦନକାରୀ ପୁରୁଣା ଆଇନ ଅନୁଯାୟୀ ଛାଡ଼ପତ୍ର ପଞ୍ଜୀକରଣ ପାଇଁ ଦାବି କରିଥିଲେ ମଧ୍ୟ ଏବେ ତାହା ସମ୍ଭବ ନୁହେଁ। ତାଙ୍କୁ ୨୦୨୪ର ଆସାମ ଆଇନ ଅନୁଯାୟୀ ବରପେଟାର ବିବାହ ଓ ଛାଡ଼ପତ୍ର ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ଆବେଦନ କରିବାକୁ କୋର୍ଟ କହିଛନ୍ତି।
ମାମଲାର ତଥ୍ୟ ଅନୁଯାୟୀ, ବ୍ୟକ୍ତିଜଣକ ୨୦୧୬ରେ ବିବାହ କରିଥିଲେ। ୨୦୧୮ରେ ତାଙ୍କ ପତ୍ନୀ ଘର ଛାଡ଼ି ଚାଲିଯାଇଥିଲେ। ସମ୍ପର୍କ ସୁଧାରିବା ପାଇଁ ଅନେକ ପ୍ରୟାସ ହୋଇଥିଲେ ମଧ୍ୟ ତାହା ସଫଳ ହୋଇନଥିଲା। ଏହାପରେ ସେ ୨୦୨୬ ମାର୍ଚ୍ଚ ୨୨, ଏପ୍ରିଲ୍ ୨୬ ଏବଂ ମେ’ ୨୭ରେ ତିନିଟି ଭିନ୍ନ ତାରିଖରେ ‘ତଲାକ୍’ ଉଚ୍ଚାରଣ କରିଥିବା କୋର୍ଟଙ୍କୁ ଜଣାଇଥିଲେ। Talaq-e-Hasan ପ୍ରଥାରେ ତିନିଟି ପୃଥକ୍ ସମୟରେ ‘ତଲାକ୍’ ଉଚ୍ଚାରଣ କରାଯାଏ। ଏହାକୁ ତତ୍କ୍ଷଣାତ୍ ତିନିଥର ତଲାକ୍ କୁହାଯାଉଥିବା Talaq-e-Biddat ସହ ଏକ କରାଯାଇପାରିବ ନାହିଁ। ୨୦୧୭ରେ ସୁପ୍ରିମକୋର୍ଟ Talaq-e-Biddatକୁ ଅସାମ୍ବିଧାନିକ ଘୋଷଣା କରିଥିଲେ।
ତେବେ ଆବେଦନକାରୀ ପୁରୁଣା ବରପେଟା କର୍ତ୍ତୃପକ୍ଷଙ୍କ ନିକଟରେ ଛାଡ଼ପତ୍ର ପଞ୍ଜୀକରଣ ପାଇଁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ। କୋର୍ଟ କହିଥିଲେ ଯେ ପୂର୍ବରୁ ଲାଗୁ ଥିବା ୧୯୩୫ର ଆଇନ ଏବେ ରଦ୍ଦ ହୋଇସାରିଛି। ତେଣୁ ୨୦୨୪ର Assam Compulsory Registration of Muslim Marriages and Divorce Act ଅନୁଯାୟୀ ତାଙ୍କ ଆବେଦନର ବିଚାର କରିବାକୁ ରେଜିଷ୍ଟ୍ରାରଙ୍କୁ କୁହାଯାଇଛି। ଆବେଦନକାରୀଙ୍କ ପରିଚୟ ଯାଞ୍ଚ ପରେ ରେଜିଷ୍ଟ୍ରାର ପଞ୍ଜୀକରଣ ସମ୍ପର୍କରେ ନିଷ୍ପତ୍ତି ନେବେ। ପଞ୍ଜୀକରଣ ମନା ହେଲେ ୨୦୨୪ ଆଇନର ଧାରା ୧୭ ଅନୁଯାୟୀ ଅପିଲ୍ କରିବାର ସୁଯୋଗ ରହିବ। ମାମଲାରେ ପତ୍ନୀ କୋର୍ଟରେ ହାଜର ହୋଇନଥିଲେ ମଧ୍ୟ, ତାଙ୍କ ଅନୁପସ୍ଥିତିର ଅର୍ଥ ତାଙ୍କ ଆଇନଗତ ଅଧିକାର ଶେଷ ହୋଇଯିବା ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ସେ ଚାହିଁଲେ ଉପଯୁକ୍ତ ଆଇନଗତ ମଞ୍ଚରେ Talaq-e-Hasanକୁ ଚ୍ୟାଲେଞ୍ଜ କରିପାରିବେ।

