STF Action: ଭୋଗରାଇ ଓରାଙ୍ଗଉଟାନ୍ ମାମଲାରେ ବଡ଼ ଖୁଲାସା, ରେଡ୍ ପୂର୍ବରୁ ଅଭିଯୁକ୍ତ ଫେରାର
ବାଲେଶ୍ୱର: ବାଲେଶ୍ୱର ଭୋଗରାଇ ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଉଟାନ୍ ଶାବକ ଜବତ ଘଟଣାରେ କ୍ରାଇମବ୍ରାଞ୍ଚ STFକୁ ମିଳିଛି ବଡ଼ ସୁରାକ। ଏହି ଚାଲାଣ ପଛରେ ପଶ୍ଚିମବଙ୍ଗର କିଛି ତସ୍କର ସାମିଲ ଥିବା ତଦନ୍ତରୁ ଜଣାପଡ଼ିଛି। ତସ୍କରମାନେ ପଶ୍ଚିମବଙ୍ଗରୁ ଓରାଙ୍ଗଉଟାନ୍ ଶାବକମାନଙ୍କୁ ଆଣିଥିବା ଏବଂ କୌଣସି କାରଣରୁ ଭୋଗରାଇ ଅଞ୍ଚଳରେ ଛାଡ଼ି ଦେଇଥିବା ନେଇ STF ସନ୍ଦେହ କରୁଛି।
ତଦନ୍ତ ବେଳେ STF ଜାଣିବାକୁ ପାଇଛି ଯେ ଏହି ତସ୍କରମାନେ ଭୋଗରାଇର ଏକ ହୋଟେଲରେ ରହିଥିଲେ। ଘଟଣା ପ୍ରଘଟ ହେବା ପରେ ସେମାନେ ହୋଟେଲ ଛାଡ଼ି ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ STF ପଶ୍ଚିମବଙ୍ଗର ଏକ ଘରେ ଚଢ଼ାଉ କରିଥିଲା। ତେବେ STF ପହଞ୍ଚିବା ପୂର୍ବରୁ ଅଭିଯୁକ୍ତମାନେ ସେଠାରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ଏବେ ସେମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।
ସୂଚନା ଅନୁସାରେ, ଗତ ମଙ୍ଗଳବାର ଭୋଗରାଇ ସଂରକ୍ଷିତ ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଉଟାନ୍ ଶାବକ ଉଦ୍ଧାର ହୋଇଥିଲେ। ଘଟଣା ପଛରେ ଏକ ଅନ୍ତର୍ଜାତୀୟ ପଶୁ ଚାଲାଣ ରାକେଟ୍ର ସମ୍ପୃକ୍ତି ଥିବା ନେଇ ପ୍ରଥମରୁ ସନ୍ଦେହ ପ୍ରକାଶ ପାଇଥିଲା। ଉଦ୍ଧାର ହୋଇଥିବା ଶାବକମାନଙ୍କୁ ଭୁବନେଶ୍ୱର ନନ୍ଦନକାନନକୁ ସ୍ଥାନାନ୍ତର କରାଯାଇ ସ୍ୱତନ୍ତ୍ର ଯତ୍ନ ନିଆଯାଉଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ୨୪ ଘଣ୍ଟିଆ ଡାକ୍ତରୀ ଦଳ ନଜର ରଖିଛନ୍ତି।

