Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Dubai Investors Meet: ଓଡ଼ିଶାକୁ ଆସିଲା ୨.୪୩ ଲକ୍ଷ କୋଟିର ନିବେଶ ପ୍ରସ୍ତାବ, ୬ ଲକ୍ଷରୁ ଅଧିକ ନିଯୁକ୍ତି ସମ୍ଭାବନା

ଭୁବନେଶ୍ୱର: ଦୁବାଇରେ ଆୟୋଜିତ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରୁ ରାଜ୍ୟ ପାଇଁ ବଡ଼ ନିବେଶ ପ୍ରସ୍ତାବ ଆସିଛି। ତିନି ଦିନିଆ କାର୍ଯ୍ୟକ୍ରମରେ ମୋଟ ୨ ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିବା ବେଳେ ଏହା ମାଧ୍ୟମରେ ରାଜ୍ୟରେ ୬ ଲକ୍ଷ ୧୮ ହଜାର ୭୨୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା କରାଯାଉଛି। ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଓ ନିବେଶର ପରିବେଶକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ନିବେଶକ ସମ୍ମିଳନୀ ଆୟୋଜିତ ହୋଇଥିଲା।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ପ୍ରତିନିଧି ଦଳ ଦୁବାଇରେ ବିଭିନ୍ନ ଶିଳ୍ପପତି ଓ ନିବେଶକଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ମୋଟ ୫୨ଟି ୱାନ୍‌-ଟୁ-ୱାନ୍‌ ଓ ରାଉଣ୍ଡ ଟେବୁଲ୍‌ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୧୬୦ଟି ଶିଳ୍ପସଂସ୍ଥାର ମୁଖ୍ୟ ଓ ପ୍ରତିନିଧି ଯୋଗଦେଇଥିଲେ। ଓଡ଼ିଶାରେ ନୂଆ ଶିଳ୍ପ ସ୍ଥାପନ, ନିବେଶର ସମ୍ଭାବନା ଏବଂ ରୋଜଗାର ସୃଷ୍ଟି ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଏହି ଆଲୋଚନା ହୋଇଥିଲା।

ତିନି ଦିନିଆ ଦୁବାଇ ଗସ୍ତ ସମୟରେ ଓଡ଼ିଶା ସରକାର ଓ ବିଭିନ୍ନ ସଂସ୍ଥା ମଧ୍ୟରେ ୮ଟି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଥିବା ସୂଚନା ମିଳିଛି। ବଡ଼ ଧରଣର ଏହି ନିବେଶ ପ୍ରସ୍ତାବ ରାଜ୍ୟର ଶିଳ୍ପ କ୍ଷେତ୍ରକୁ ନୂଆ ଗତି ଦେବା ସହ ରୋଜଗାର ସୃଷ୍ଟିରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏବେ ଏହି ପ୍ରସ୍ତାବଗୁଡ଼ିକ କେତେ ଶୀଘ୍ର ବାସ୍ତବ ନିବେଶରେ ପରିଣତ ହେଉଛି, ତାହା ଉପରେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories